ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ‘ମୋତେ ଆପଣଙ୍କ ସୁରକ୍ଷାର ଆବଶ୍ୟକ ନାହିଁ। ମୁଁ ଜନତାଙ୍କ ନେତା ଲୋକଙ୍କ ନିକଟକୁ ଯିବାକୁ ଚାହୁଁଛି। ଆପଣଙ୍କ ନେତା ମନ୍ତ୍ରୀଙ୍କୁ ସୁରକ୍ଷା ଦିଅନ୍ତୁ।’ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁଜୁରାଟ ପୁଲିସ ଅଟୋ ରିକ୍ସାରେ ବସିବାକୁ ମନା କରିବାରୁ ସେ ଜଣେ ପୁଲିସ ଅଧିକାରୀଙ୍କୁ କିଛି ଏପରି କହୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୁଲିସ ସୁରକ୍ଷା ଦୃଷ୍ଟିରୁ କେଜ୍ରିୱାଲଙ୍କୁ ଅଟୋରେ ବସିବାରୁ ରୋକିଥିଲା। ଏହାପରେ କେଜ୍ରିୱାଲ ଓ ପୁଲିସଙ୍କ ମଧ୍ୟରେ କିଛି ସମୟ ଯୁକ୍ତି ତର୍କ ହୋଇଥିଲା।
ସୂଚନା ଅନୁସାରେ, ବର୍ତ୍ତମାନ ଗୁଜୁରାଟ ଗସ୍ତରେ ଅଛନ୍ତି ଆପ ପ୍ରମୁଖ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ଗସ୍ତ ସମୟରେ ସୋମବାର ଦିନ ଗୁଜୁରାଟର ଅଟୋ ଚାଳକ ମାନଙ୍କ ସହ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ କେଜ୍ରିୱାଲ। ଏହି ଆଲୋଚନା ସମୟରେ ଜଣେ ଅଟୋ ଚାଳକ କେଜ୍ରିୱାଲଙ୍କୁ ନିଜ ଘରକୁ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ଅଟୋ ଚାଳକଙ୍କ କଥା ରଖି କେଜ୍ରିୱାଲ ମଧ୍ୟ ରାତ୍ରୀଭୋଜନ ପାଇଁ ରାଜି ହୋଇଥିଲେ। ସନ୍ଧ୍ୟା ସମୟରେ ନିଜ ହୋଟେଲରୁ ବାହାରି ସେହି ଅଟୋ ଚାଳକଙ୍କ ଅଟୋ ରେ ବସି ରାତ୍ରୀଭୋଜନ ପାଇଁ ବାହାରି ଥିଲେ କେଜ୍ରିୱାଲ। ଏତିକି ବେଳେ ସୁରକ୍ଷା ପ୍ରସଙ୍ଗ କହି ପୁଲିସ ତାଙ୍କୁ ଅଟକାଇଥିଲା। ଏହାପରେ କେଜ୍ରିୱାଲଙ୍କ ସହ ପୋଲିସଙ୍କର ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ଏହି ସମୟରେ କେଜ୍ରିୱାଲ ଅହମ୍ମଦାବାଦ ପୁଲିସକୁ କହିଥିଲେ ଯେ, ମୋର ସୁରକ୍ଷା ଆବଶ୍ୟକ ନାହିଁ। ଆପଣ ସୁରକ୍ଷା ବ୍ୟବସ୍ଥା ହଟାଇ ନିଅନ୍ତୁ। ମୋର ଜନତାଙ୍କ ସହ ଯିବାର ଅଛି। ତାଙ୍କ ସହ ରହିବାର ଅଛି। ପୁଲିସ ସହ ଯୁକ୍ତିତର୍କ ବେଳର ଭିଡିଓ ଆପ ପକ୍ଷରୁ ଟ୍ୱିଟ୍ କରାଯାଇଛି। କେଜ୍ରିୱାଲ ଆହୁରି କହିଥିଲେ ଯେ, ଜନତାଙ୍କ ପାଖକୁ ଯିବାକୁ ମୋତେ ଆପଣ ଅଟକାଉଛନ୍ତି। ପ୍ରୋଟୋକଲ ବାହାନା କରି ନେତାମାନେ ଜନତାଙ୍କ ପାଖକୁ ଯାଉ ନାହାନ୍ତି। ଆପଣଙ୍କ ନେତାଙ୍କୁ କୁହନ୍ତୁ ପ୍ରୋଟୋକଲ ଭାଙ୍ଗି ଜନତାଙ୍କୁ ଭେଟିବେ। ଆମେ ଆପଣଙ୍କ ସୁରକ୍ଷା ଚାହୁଁ ନାହୁଁ। ଆପଣ କାହିଁକି ଆମ ଉପରେ ଫୋକସ କରୁଛନ୍ତି ।
ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାପରେ ଏନେଇ ବିଜେପି କଡ଼ା ପ୍ରତିକ୍ରିୟା ରଖିଛି। ଦଳ କେଜ୍ରିୱାଲଙ୍କୁ ଏହି ଆଚରଣ ପାଇଁ କଡ଼ା ସମାଲୋଚନା ମଧ୍ୟ କରିଛି।