“ମୁଁ ଜାଣି ନଥିଲି ଏଥିପାଇଁ ମୋତେ ଏତେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ”; ମୋଦୀଙ୍କ ମନ୍ତବ୍ୟରେ ଶରଦ ପାୱାରଙ୍କ ଉତ୍ତର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ମନ୍ତବ୍ୟ ନେଇ ବରିଷ୍ଠ ନେତା ଶରଦ ପାୱାର ଏକ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ କହିଥିଲେ ଯେ ଶରଦ ପାୱାରଙ୍କ ଆଙ୍ଗୁଠି ଧରି ସେ ରାଜନୀତିରେ ପାଦ ଦେଇଛନ୍ତି। ଏହାର ଉତ୍ତରରେ ଶରଦ ପାୱାର କହିଛନ୍ତି ମୁଁ ଜାଣି ନଥିଲି ଯେ ଏଥିପାଇଁ ମୋତେ ଏତେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ।

ସୂଚନା ଅନୁସାରେ,ଏନସିପି ପ୍ରମୁଖ ଶରଦ ପାୱାର ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ଜଣେ ଗଣମାଧ୍ୟମ ପ୍ରତିନିଧି ଶରଦଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବାକୁ କହିଥିଲେ। ତାଙ୍କୁ ପଚରାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ ଆପଣଙ୍କ ଆଙ୍ଗୁଠି ଧରି ରାଜନୀତିରେ ପ୍ରବେଶ କରିଛନ୍ତି। ଏହାକୁ ନେଇ ଉତ୍ତରରେ ଶରଦ ପାୱାର ସଙ୍ଗେ ସଙ୍ଗେ କହିଥିଲେ ଯେ, ମୁଁ ଜାଣି ନଥିଲି ଯେ ଏଥିପାଇଁ ମୋତେ ଏତେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ।

୨୦୨୪ ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପ୍ରସଙ୍ଗରେ ପାୱାର କହିଛନ୍ତି ସେ ଏହି ବୟସରେ ଆଉ କୌଣସି ଦାୟିତ୍ୱ ଗ୍ରହଣ କରିବାକୁ ଚାହୁଁନାହାଁନ୍ତି। ୨୦୨୪ ଜାତୀୟ ନିର୍ବାଚନ ପାଇଁ ବିରୋଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରୁ ସେ ନିଜକୁ ଦୂରେଇ ରଖିଛନ୍ତି। ମୁଁ କେବଳ ଅଣ-ଭାଜପା ଦଳଙ୍କୁ ଏକାଠି ହୋଇ ଭାଜପା ବିରୋଧରେ ଜନମତ ପ୍ରସ୍ତୁତ କରିବାକୁ ସାହାଯ୍ୟ କରିବି ବୋଲି ପାଓ୍ବାର ସୂଚନା ଦେଇଛନ୍ତି।

୨୦୧୪ରେ ପ୍ରଥମ ଥର କ୍ଷମତାକୁ ଆସିବା ପରଠାରୁ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ଯେଉଁଥିରେ ଇଣ୍ଟରନେଟ, ଶୌଚାଳୟ, ଗ୍ରାମର ପ୍ରତ୍ୟେକ ଘରକୁ ବିଦ୍ୟୁତ ସଂଯୋଗ ଏବଂ ପାନୀୟ ଜଳ ଯୋଗାଇବା ଆଦି ଅନ୍ତର୍ଭୁକ୍ତ ଥିଲା। ଛୋଟ ଦଳଗୁଡ଼ିକୁ କ୍ଷମତାଠାରୁ ଦୂରେଇ ରଖିବା ଏବଂ ସେମାନଙ୍କୁ ବିରୋଧୀ ଶାସିତ ରାଜ୍ୟରୁ ବାହାର କରିଦେବା ପାଇଁ ଭାଜପା କେନ୍ଦ୍ରୀୟ ଏଜେନ୍ସିଗୁଡିକର ଅପବ୍ୟବହାର କରୁଛି ବୋଲି ଶରଦ କହିଛନ୍ତି। ବିରୋଧୀ ଦଳଙ୍କ ବିରୋଧରେ ଭାଜପା ଯାହା କରୁଛି ତାହା ହେଉଛି ସଂସଦୀୟ ଗଣତନ୍ତ୍ର ଉପରେ ଆକ୍ରମଣ। ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ଅଣ-ଭାଜପା ଶାସିତ ସମସ୍ତ ରାଜ୍ୟରେ ଭାଜପା ବିଧାୟକମାନଙ୍କୁ ବିଭାଜନ କରି କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଛି ବୋଲି ପାଓ୍ବାର କହିଛନ୍ତି।

Related Posts