କାଶ୍ମୀର ପଣ୍ଡିତମାନଙ୍କ ପାଇଁ ମୁଁ ଦାୟୀ ନୁହେଁ ବରଂ ସେ ସମୟରେ ଦିଲ୍ଲୀରେ ଶାସନ କରୁଥିବା ସରକାର ହିଁ ଦାୟୀ: ଫାରୁକ ଅବଦୁଲ୍ଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦ କାଶ୍ମୀର ଫାଇଲ୍ସ ଫିଲ୍ମର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ୧୯୯୦ ମସିହାରେ କାଶ୍ମୀରୀ ପଣ୍ଡିତମାନଙ୍କୁ କରାଯାଇଥିବା ଅତ୍ୟାଚାର ଏବଂ କିଭଳି ଭାବରେ ତାଙ୍କୁ ହତ୍ୟା କରାଯାଇଥିଲା ତାହା ଉପରେ ଏହି ଫିଲ୍ମଟି ନିର୍ମିତ ହୋଇଛି । ଏହା ମଧ୍ୟରେ ଫିଲ୍ମଟି ରିଲିଜ ହେବା ପରେ ୧୯୯୦ ମସିହାରେ ଥିବା ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଉପରେ ଅନେକ ଆଙ୍ଗୁଳି ଉଠିବାରେ ଲାଗିଛି । କିଏ ଏହି ଘଟଣା ପାଇଁ ତାଙ୍କୁ ଦାୟୀ କରୁଥିବାବେଳେ ଆଉ କିଏ କାଶ୍ମୀରି ପଣ୍ଡିତମାନଙ୍କୁ ନ୍ୟାୟ ଦେବାରେ ସେ ବିଫଳ ବୋଲି କହିଛନ୍ତି । ଏସବୁ ମଧ୍ୟରେ ଉଠୁଥିବା ପ୍ରଶ୍ନ ଉପରେ ଫାରୁକ୍ ଅବଦୁଲ୍ଲା ନିଜ ପ୍ରତିକ୍ରିୟା ରଖିଛନ୍ତି। ୧୯୯୦ ମସିହାରେ କଶ୍ମୀରରେ ଯାହା ଘଟିଥିଲା ତାହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ତେବେ ସେ ସମୟ ବହୁତ ଖରାପ ସମୟ ଥିଲା।

ସେହି ସମୟରେ କଶ୍ମୀରୀ ପଣ୍ଡିତମାନେ ସମ୍ମୁଖୀନ ହୋଇଥିବା ଅସୁବିଧା ପାଇଁ ମୋର ହୃଦୟ ଏବେ ବି କାନ୍ଦୁଛି। କୌଣସି କଶ୍ମୀରୀ ନାହିଁ ଯିଏ ସେମାନଙ୍କ ପାଇଁ କାନ୍ଦିନାହାଁନ୍ତି। ସମସ୍ତେ ଚାହାଁନ୍ତି ଯେ କଶ୍ମୀର ପଣ୍ଡିତମାନେ ସେମାନଙ୍କ ଘରକୁ ଫେରନ୍ତୁ। ସେତେବେଳେ ଯାଇ କଶ୍ମୀର ସଂପୂର୍ଣ୍ଣ ହେବ। ୧୯୯୦ରେ ଯାହା ଘଟିଲା ତାହା ଏକ ଷଡଯନ୍ତ୍ର ଥିଲା, ଏହି ଷଡଯନ୍ତ୍ର କିଏ କରିଥିଲା? ଏହାର ଅନୁସନ୍ଧାନ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯିବା ଉଚିତ, ତେବେ ଯାଇ ଏଥିରେ କିଏ ଜଡିତ ଅଛି ତାହା ଜଣାପଡିବ। କିନ୍ତୁ ମୁଁ ଏଥିପାଇଁ ଦାୟୀ ନୁହେଁ। ସେ ସମୟରେ ଦିଲ୍ଲୀରେ ଶାସନ କରୁଥିବା ସରକାର ଏଥିପାଇଁ ଦାୟୀ। ଯଦି ମୁଁ ଦାୟୀ ବୋଲି ପ୍ରମାଣ ମିଳେ, ତେବେ ମୋତ ଫାଶୀଖୁଣ୍ଟରେ ଝୁଲାଇ ଦେବ ବୋଲି ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି ।

Related Posts