ହକି ହିରୋଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧/୮(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରରେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଚ ବିଜେତା ଭାରତୀୟ ହକି ଦଳ। କ୍ରମାଗତ ଦ୍ବିତୀୟଥର ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଭାରତୀୟ ହକି ଖେଳାଳିଙ୍କ ପାଇଁ ଭୁବନେଶ୍ବରରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ୟ୍ୟକ୍ରମ। ବିମାନ ବନ୍ଦରରେ ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। କ୍ରୀଡ଼ାମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ। ବିମାନ ବନ୍ଦରରୁ ସ୍ବତନ୍ତ୍ର ବସ୍ ଯୋଗେ ବାହାରିଥିଲା ଖେଳାଳିଙ୍କ ରୋଡ୍ ସୋ’। ରୋଡ଼ ସୋ’ କରି ବିମାନ ବନ୍ଦର ଠାରୁ କଳିଙ୍ଗ ଷ୍ଟାଡିୟମ ଯାଇଥିଲେ ଖେଳାଳି। ରୋଡ୍ ସୋ’ରେ ଶହ ଶହ ଲୋକ ସାମିଲ ହୋଇଥିଲେ। ଏହି ସମୟରେ ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା। ପୁରୀ ସାହିଯାତ ନୃତ୍ୟ, ଛଉ ନୃତ୍ୟ, ଘୁମୁରା ନୃତ୍ୟ, ଆଦିବାସୀ ନୃତ୍ୟ, ସଂକୀର୍ତ୍ତନ ମଣ୍ଡଳୀ, ଢୋଲ ବାଜା ଆଦି ନୃତ୍ୟ ପରିବେଷଣ ହୋଇଥିଲା।

କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କୁ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଷ୍ଟାର ଗୋଲକିପର ପିଆର ଶ୍ରୀଜେଶ। ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ସହ ହକିରୁ ବିଦାୟ ନେଇଥିବା ଶ୍ରୀଜେଶ ଭାରତୀୟ ହକିର ସଫଳତା ପାଇଁ ଓଡ଼ିଶାର ଅବଦାନକୁ ଅତୁଳନୀୟ କହିଛନ୍ତି। ସେହିପରି ଓଡ଼ିଆ ପୁଅ ଅମିତ ରୋହିଦାସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଲିମ୍ପିକ୍ସ ଯାତ୍ରା ଉପରେ ଆଲୋଚନା କରିଥିଲେ। ଶେଷରେ ରାଜ୍ୟ କନଭେନସନ ହଲରେ ଭାରତୀୟ ହକି ଦଳର ପ୍ରତି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ରାଜ୍ୟ ସରକାର। ପୂର୍ବ ଘୋଷଣା ଅନୁଯାୟୀ ପ୍ରତି ଖେଳାଳିଙ୍କୁ ୧୫ଲକ୍ଷ ଏବଂ ସପୋର୍ଟ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ଆଉ ଖେଳାଳି ଅମିତ ରୋହିଦାସଙ୍କୁ ୪କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

Related Posts