ଆଜି ଆସିବ ବହୁଚର୍ଚ୍ଚିତ ହିଜାବ ମାମଲାର ରାୟ, କର୍ଣ୍ଣାଟକ ରେ ହାଇଏଲାର୍ଟ

ସତ୍ୟପାଠ ବ୍ୟୁରୋ, ୧୫/୦୩: ବିବାଦୀୟ ତଥା ବହୁଚର୍ଚ୍ଚିତ ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଆଜି (ମଙ୍ଗଳବାର) ଚୂଡାନ୍ତ ରାୟ ପ୍ରକାଶ କରିବେ । ସଂଖ୍ୟାଲଘୁ ସଂପ୍ରଦାୟର ଝିଅମାନେ ସ୍କୁଲ-କଲେଜରେ ହିଜାବ ପିନ୍ଧିବାକୁ ନେଇ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଏହି ରାୟ ପ୍ରକାଶ ପାଇପାରେ । ମାନ୍ୟବର ହାଇକୋର୍ଟ ଙ୍କ ରାୟ ଆସିବା ପୂର୍ବରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ସର୍ବସାଧାରଣସ୍ଥଳରେ ସମସ୍ତ ପ୍ରକାରର ସଭା, ଆନ୍ଦୋଳନ, ବିରୋଧ ଓ ସମାରୋହ ଉପରେ କଟକଣା ଲାଗୁ କରିଦିଆଯାଇଛି ।

ଉଚ୍ଚ ଆଦାଲତଙ୍କ ରାୟକୁ ଦୃଷ୍ଟିରେ ରଖି କଲବୁର୍ଗୀରେ ସୋମବାର ସନ୍ଧ୍ୟା ୮ଟାରୁ ମାର୍ଚ୍ଚ ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିଦିଆଯାଇଛି । ସଂପୃକ୍ତ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ମାର୍ଚ୍ଚ ୧୫ ଯାଏଁ ବନ୍ଦ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ଉଡ୍ଡୁପିର ଝିଅମାନଙ୍କ ଦ୍ୱାରା ହିଯାବ୍ ପରିଧାନ କରିବାକୁ ନେଇ ଗତମାସ ଫେବ୍ରୁଆରୀ ୯ ତାରିଖରେ କରାଯାଇଥିବା ଆବେଦନ ଉପରେ ମୁଖ୍ୟ ବିଚାରପତି ରିତୁରାଜ ଅବସ୍ଥୀ, ବିଚାରପତି କୃଷ୍ଣା ଏସ୍ ଦୀକ୍ଷିତ ଓ ବିଚାରପତି ଜେଏମ୍ ଖାଜୀଙ୍କୁ ନେଇ ଏକ ଖଣ୍ଡପୀଠ ଗଠନ କରାଯାଇଛି । ଝିଅମାନେ ଆବେଦନରେ କହିଥିଲେ ଯେ, ଶ୍ରେଣୀ ଭିତରେ ହିଜାବ ପିନ୍ଧିବାକୁ ଅନୁମତି ପ୍ରଦାନ କରାଯାଉ । କାରଣ ଏହା ତାଙ୍କର ଆସ୍ଥାର ଏକ ଅଂଶବିଶେଷ । ଏହା ପୂର୍ବରୁ ଜାନୁଆରୀ ୧ ତାରିଖରେ ଉଡ୍ଡୁପିର ଏକ କଲେଜରେ ଅଧିକାରୀମାନଙ୍କ ଦ୍ୱାରା ହିଜାବ କାରଣରୁ ୬ ଜଣ ଛାତ୍ରୀଙ୍କୁ ଶ୍ରେଣୀ ଭିତରେ ପ୍ରବେଶ ମିଳି ନଥିଲା ।

Related Posts