ଗଣମାଧ୍ୟମକୁ ଅଶାଳୀନ ମନ୍ତବ୍ୟ ଦେବା ଦୂତିଙ୍କୁ ପଡିଲା ମହଙ୍ଗା; କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

duti

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଦୂତି । ଏବେ ନିଜ କ୍ରିଡାକୁ ନେଇ ଚର୍ଚ୍ଚାରେ ନାହାଁନ୍ତି ଦୂତି ବରଂ ନିଜର ବ୍ୟବହାରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ତେବେ କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ସଂସ୍ଥାକୁ ଅଶାଳୀନ ଭାଷାରେ ଦୂତି ଗାଳିଗୁଲଜ କରିଥିଲେ । ଏନେଇ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହାର ଶୁଣାଣି କରି ଦୂତି ଚାନ୍ଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ସମ୍ପୂର୍ଣ୍ଣ ଘଟଣାଟି ହେଉଛି ଦୂତି ଚାନ୍ଦଙ୍କ ଘରକୁ ଯାଇ ତାଙ୍କ ବାପା-ମାଆଙ୍କ ଠାରୁ ପ୍ରତିକ୍ରିୟା ଆଣିଥିଲା ଏକ ଓ୍ବେବ୍ ମିଡିଆ । ଟୋକିଓ ଅଲିମ୍ପିକ୍ସରେ ଦୂତିଙ୍କ ବିଫଳତା ଏବଂ ତାଙ୍କ ପରିବାର ଖାସ କରି ବଡ ଭଉଣୀଙ୍କ ସହ ଲାଗିରହିଥିବା କନ୍ଦଳକୁ ନେଇ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ବାକ୍ ଯୁଦ୍ଧ ଲାଗିରହିଥାଏ ।

ତେବେ ସଂପୃକ୍ତ ଓ୍ବେବ୍ ମିଡିଆ ତାଙ୍କ ବାପା-ମାଆଙ୍କ ଠାରୁ ବାଇଟ୍ ଆଣିବା ପରେ ଆରମ୍ଭ ହୋଇଯାଇଥିଲା ନାଟ । ୱେବ ମିଡିଆର ଏଭଳି କାର୍ଯ୍ୟକଳାପକୁ ସହଜରେ ହଜମ କରିପାରିଲେନି ଦୂତି ଏବଂ ସମ୍ପୃକ୍ତ ୱେବ ମିଡିଆକୁ ଏକ ସଙ୍ଗୀନ ଆରୋପ ଲଗାଇଲେ । ତେବେ ଖବର ପ୍ରସାରଣ ନ କରିବା ପାଇଁ ଦୂତିଙ୍କୁ ସମ୍ପୃକ୍ତ ଗଣମାଧ୍ୟମ ଟଙ୍କା ମାଗିଥିବାର ଅଭିଯୋଗ କରିଥିଲେ । ଏହା ପରେ ସଂପୃକ୍ତ ଗଣମାଧ୍ୟମକୁ ଦୂତି ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିବାର ଏକ ଅଡିଓ ଭାଇରାଲ ହୋଇଥିଲା । ଏ ନେଇ ହାଇକୋର୍ଟରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ତେବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆଥ୍‌ଲେଟ ଦୂତି ଚାନ୍ଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି ।

Related Posts