(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପଞ୍ଜାବ କଂଗ୍ରେସରେ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ପାଇଁ ହାଇକମାଣ୍ଡ ଏବେ କଡା ପଦକ୍ଷେପ ନେଇଛନ୍ତି। ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତକାର ହୋଇ ନପାରିବାରୁ ପଞ୍ଜାବ ଫେରିଯାଇଛନ୍ତି। ପଞ୍ଜାବ ବିଧାନସଭାକୁ ଏକ ବର୍ଷରୁ କମ୍ ସମୟ ଥିବା ବେଳେ ରାଜ୍ୟ କଂଗ୍ରେସରେ କ୍ୟାପଟେନ୍ ବନାମ ସିଦ୍ଧୁ ଝଗଡା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଦଳୀୟ କନ୍ଦଳର ସମାଧାନ ପାଇଁ ହାଇକମାଣ୍ଡ ମଲ୍ଲିକାର୍ଜୁନ୍ ଖଡଗେଙ୍କ ନେତୃତ୍ୱରେ ଗଠନ ହୋଇଥିବା ତିନି ଜଣିଆ କମିଟି ନବଜୋତ ସିଦ୍ଧୁଙ୍କୁ ପୁଣି ଥରେ ଦିଲ୍ଲୀ ଡାକିଛନ୍ତି। ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କୁ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ହାଇକମାଣ୍ଡ ଡେଡ୍ ଲାଇନ୍ ଦେଇଛନ୍ତି। ଏହି ପ୍ରତିଶ୍ରୁତିଗୁଡିକ ବାରଗରୀ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା; ଡ୍ରଗ୍ ରାକେଟ୍, ବାଲି ଏବଂ ପରିବହନ ମାଫିଆ ଉପରେ କଟକଣା, ସହରାଞ୍ଚଳ ପରିବାରମାନଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବା; ଅନୁସୂଚିତ ଜାତି ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି; ଏବଂ, ଦଳିତଙ୍କ ପାଇଁ ଋଣ ଛାଡ ଭଳି ୧୮ ଟି ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଦଳର ଶୀର୍ଷ ନେତୃତ୍ୱ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ ବୁଧବାର ରାହୁଲ ଗାନ୍ଧୀ ଦଳର ସାଧାରଣ ସମ୍ପାଦକ ତଥା ପଞ୍ଜାବର ଦାୟିତ୍ୱରେ ଥିବା ହରିଶ ରାୱତ, ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜାଖର, ସାଂସଦ ମନୀଷ ତିୱାରୀ, ରାଜ୍ୟସଭା ସାଂସଦ ପ୍ରତାପ ସିଂ ବାଜୱା, ରାଜ୍ୟ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ ଏବଂ ଦଳର ବିଧାୟକ ଇନ୍ଦରବୀର ବୋଲାରିଆଙ୍କୁ ଭେଟିଛନ୍ତି। ଗତ ତିନି ଦିନ ମଧ୍ୟରେ ରାହୁଲ ଗାନ୍ଧୀ ପଞ୍ଜାବର ପ୍ରାୟ ୨୦ ଜଣ ନେତାଙ୍କୁ ଭେଟିଥିବା ଜଣାପଡିଛି। ରାୱତ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ କହିଛନ୍ତି ଯେ ସୋନିଆ ଗାନ୍ଧୀ ଏ ବାବଦରେ ନିଷ୍ପତ୍ତି ନେବେ । ତାଙ୍କ ପକ୍ଷରୁ ପଞ୍ଜାବ ସରକାର ଏବଂ ଦଳରେ ବିବାଦ ସମାଧାନ ଜୁଲାଇ ଦ୍ବିତୀୟ ସପ୍ତାହ ଭିତରେ ନିଷ୍ପତ୍ତି ନିଆଯାଇପାରେ । ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜାଖର କହିଛନ୍ତି ଯେ ହାଇ କମାଣ୍ଡ ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି ଏବଂ ଖୁବ୍ ଶୀଘ୍ର ଦଳ ମିଳିତ ଭାବେ ଲଢିବେ ଏବଂ “ସଙ୍କଟ ସମାପ୍ତ ହେବ”। ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ସୋନିଆ ଗାନ୍ଧୀ ଏବଂ ରାହୁଲ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥାନ୍ତେ। ରାୱତ କହିଛନ୍ତି ଯେ ଜୁଲାଇ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପଞ୍ଜାବକୁ ନେଇ ହାଇକମାଣ୍ଡ ନିଷ୍ପତ୍ତି ନେବେ। ଏହା ପରେ ଦଳ ଭିତରେ ମତଭେଦ ଦେଖାଦେଇଛି। କ୍ୟାପଟେନଙ୍କ ନିକଟତମ ଜଣେ ନେତା କହିଛନ୍ତି “ଏଗୁଡ଼ିକ ଏକ ସ୍କୁଲ ପିଲାଙ୍କୁ ଦିଆଯାଇଥିବା କାମ ପରି । ହାଇ କମାଣ୍ଡ କ’ଣ କରିବାକୁ ଚେଷ୍ଟା କରୁଛି ମୁଁ ଜାଣେ ନାହିଁ। ସେମାନେ ଏମିତି କରି ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରୁଛନ୍ତି ବୋଲି ସେ କହିଛନ୍ତି। ଏପଟେ ମୁଖ୍ୟମନ୍ତ୍ରୀଙ୍କ ଜଣେ ସମାଲୋଚକ କହିଛନ୍ତି ଯେ ହାଇକମାଣ୍ଡ ପ୍ରଥମ ଥର ପାଇଁ ଦୃଢ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ନିରାଶା ମଧ୍ୟ ସ୍ପଷ୍ଟ ହୋଇଛି। କ୍ୟାପଟେନ ଗତକାଲି ଦୁଇଥର ପ୍ୟାନେଲ ସମ୍ମୁଖରେ ହାଜର ହୋଇଛନ୍ତି। କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଏହିପରି ଡକାଯାଇଛି କି? “
Related Posts
-
Copyright © SatyaPatha2021