ମାଷ୍ଟରକ୍ୟାଣ୍ଟିନ ଛକରୁ ସ୍ଥାନାନ୍ତର ହେବନି ଐତିହ୍ୟ ଘୋଡ଼ା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବହୁ ବାଦ ବିବାଦ ଓ ବିରୋଧ ପରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରୁ ସ୍ଥାପତ୍ୟ ଘୋଡା ସ୍ଥାନାନ୍ତର ନିଷ୍ପତ୍ତିରୁ ଓହରିଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିଏମସି କମିସନର । ସରକାରୀ ସ୍ତରରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି କମିସନର ସୂଚନା ଦେଇଛନ୍ତି। କଂଗ୍ରେସ ଏହି ପ୍ରସଙ୍ଗରେ ଜୋରଦାର ପ୍ରତିବାଦ କରିଥିଲା । ଦୀର୍ଘ ବର୍ଷ ଧରି ମାଷ୍ଟର କ୍ୟାଣ୍ଟିନରେ ଶୋଭା ପାଉଛି ଏହି ଐହିତ୍ୟ ଘୋଡ଼ା। 

   ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟି ମୋଡାଲ ହବ୍ ନିର୍ମାଣ ସହ ସ୍ମାର୍ଟ ଜନପଥର ବିକାଶ ପାଇଁ ବିଏମ୍‌ସି ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ରାଜଭବନ ସାମନାକୁ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଗତ ୮ ତାରିଖରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାବା ପରେ ବିରୋଧର ସ୍ୱର ଉଗ୍ର ରୂପ ନେଇଥିଲା। 

ମାଷ୍ଟରକ୍ୟାଣ୍ଟିନରୁ ଏହି ଘୋଡା ସ୍ଥାନାନ୍ତରକୁ ରାଜ୍ୟ କଂଗ୍ରେସ ଏବଂ ଜୋରଦାର ବିରୋଧ କରାଯାଇଥିଲା। କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ମୂର୍ତ୍ତି ସ୍ଥାନାନ୍ତର ବନ୍ଦ ନହେଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଉଭୟ ବିଜେପି ଓ କଂଗ୍ରେସ ଚେତାବନୀ ଦେଇଥିଲେ। ବିବାଦ ପରେ ଏବେ ସରକାର ନିଜ ନିଷ୍ପତ୍ତିରୁ ଓହରିଛନ୍ତି ।

ସୂଚନାଯୋଗ୍ୟ ଯେ,  ୧୯୮୮ ମସିହାରେ ମାଷ୍ଟର କ୍ୟାଣ୍ଟିନ ଛକରେ ଏହି ମୂର୍ତ୍ତିକୁ ସ୍ଥାପନ କରାଯାଇଥିଲା ।  ବିଶିଷ୍ଟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏହି ମୂର୍ତ୍ତି ନିର୍ମାଣ କରିଥିଲେ ।  

Related Posts