ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଅଚାନକ ଲମ୍ବା ଛୁଟିରେ ଗଲେ କାହିଁକି?

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏପଟେ ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ନେଇ ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି। ଏହା ମଧ୍ୟରେ ରାଜ୍ୟ ସରକାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପଦକ୍ଷେପ ନେଉଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଲମ୍ବା ଛୁଟିରେ ଯାଇଛନ୍ତି। ତାଙ୍କ ଅନୁପସ୍ଥିତିରେ କୃଷି ଉତ୍ପାଦନ କମିଶନର ଆର.କେ.ଶର୍ମା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଶ୍ରୀ ମହାପାତ୍ରଙ୍କ ଏମିତି ହଠାତ୍ ଲମ୍ବା ଛୁଟିରେ ଯିବାକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ଲାଗିରହିଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ ୧୯୮୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ କାରଣରୁ ଛୁଟିରେ ଯାଇଛନ୍ତି।

ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ସେ ଅନେକ ପଦକ୍ଷେପ ନେଇଥିଲେ। ତାଙ୍କର ଅଚାନକ ଛୁଟିରେ ଯିବାକୁ ନେଇ ଆନୁଷ୍ଠାନିକ ଭାବେ କେହି ମୁହଁ ଖୋଲୁନଥିବାବେଳେ ତାଙ୍କ କାର୍ଯ୍ୟରେ ତୃତୀୟ ମହଲାର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ଏଭଳି ନିଷ୍ପତ୍ତି ସେ ନେଇଥିବା ଚର୍ଚ୍ଚା ହେଉଛି।

ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ପାୱାର କରିଡରରେ ଚର୍ଚ୍ଚା ହେଉଛି ଯେ , ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ପ୍ରସ୍ତୁତି ଓ କୋଭିଡ୍ ପରିଚାଳନାରେ ଏସିଏସ୍ ଶ୍ରୀ ମହାପାତ୍ର ଓ ତୃତୀୟ ମହଲା ମଧ୍ୟରେ ଗତ ପ୍ରାୟ ୧୫ଦିନ ଧରି ଛକାପଞ୍ଝା ଲାଗି ରହିଥିଲା। ସିଏମ୍ଓରେ କାର୍ଯ୍ୟରତ ଜୁନିୟର ଆଇଏଏସ୍ ଅଫିସରମାନଙ୍କ ଦ୍ୱାରା ମୁଖ୍ୟ ସଚିବ ପାହ୍ୟାର ଅଫିସର ଶ୍ରୀ ମହାପାତ୍ରଙ୍କ ପ୍ରତ୍ୟେକ କାର୍ଯ୍ୟରେ ମାତ୍ରାଧିକ ହସ୍ତକ୍ଷେପକୁ ନେଇ ସେ ଅସନ୍ତୁଷ୍ଟ ହୋଇପଡ଼ିଥିଲେ।

ତେବେ ଆଉ ଏକ ମହଲରେ ଚର୍ଚ୍ଚା ହେଉଛି ଯେ , କୋଭିଡ୍ ମୃତ୍ୟୁକୁ ନେଇ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ଉଚ୍ଚ ନ୍ୟାୟାଳୟ ଅସନ୍ତୋଷ ବ୍ୟକ୍ତ କରିବା ସହ ଅକ୍ଟୋବର ୪ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ସ୍ବାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ଉପରେ ଚାପ ରହିଥିଲା। ଉଭୟ ପକ୍ଷରୁ ଚାପ ପଡ଼ିବା ପରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ପଳାଇଛନ୍ତି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ମହାପାତ୍ର ଏବେ କୌଣସି ଟ୍ରେନିଂ ଵା ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଯାଉ ନାହାନ୍ତି ।

ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ମାସରେ କୋଭିଡ୍‌-୧୯କୁ ରାଜ୍ୟ ସରକାର ‘ମହାମାରୀ’ ଘୋଷଣା କରିଥିଲେ। ଏହା ପରେ ମହାମାରୀ ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ଶ୍ରୀ ମହାପାତ୍ରଙ୍କୁ ନିଯୁକ୍ତି ଦେଇଥିଲେ। ସୂଚନା ମୁତାବକ ଶ୍ରୀ ମହାପାତ୍ର ୨୦୨୪ ମେ’ ମାସରେ ସରକାରୀ ଚାକିରିରୁ ଅବସର ନେବେ।

Related Posts