
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ୫ ଅଗଷ୍ଟ ଗୁରୁବାର ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ରୌପ୍ୟ ପଦକ ଜିତି ଇତିହାସ ରଚିଲେ ଭାରତୀୟ ପହିଲବାନ ରବି ଦହିୟା ।ଫାଇନାଲରେ ସେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହେବା ସତ୍ତ୍ୱେ ସେ ରୌପ୍ୟ ପଦକ ଜିତି ସେ ଇତିହାସ ସୃଷ୍ଟି କରିଛନ୍ତି। ଅନ୍ତିମ ମ୍ୟାଚରେ ଋଷର ପହିଲବାନ ଜଭୁର ୟୁଗେଭ ତାଙ୍କୁ ପରାସ୍ତ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ରୋପ୍ୟ ପଦକ ଜିତିବା ପରେ ହରିୟାଣା ସରକାର ତାଙ୍କୁ ପୁରସ୍କାର ଘୋଷଣା କରିଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ରବି ଦହିୟାଙ୍କୁ ୪ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏହା ସଙ୍ଗେ ସଙ୍ଗେ କ୍ଲାସ୍ ୱାନ୍ ବର୍ଗର ଚାକିରି ଏବଂ ୫୦ ପ୍ରତିଶତ ରିହାତିରେ ରାଜ୍ୟର କୌଣସି ସ୍ଥାନରେ ପ୍ଲଟ୍ ଦେବା ପାଇଁ ଘୋଷଣା କରିଛନ୍ତି। ରବି ଦହିୟାଙ୍କ ସୋନିପତର ନାହରି ଗ୍ରାମରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି।
ଚଳିତ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ରବି ଦହିୟା ଏବଂ ଋଷର ରେସଲର ଜଭୁର ୟୁଗେଭଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ୫୭ କେଜି ଓଜନ ବର୍ଗର ଏହି ପ୍ରତିଯୋଗିତା ଉପରେ ସମଗ୍ର ବିଶ୍ୱର ନଜର ଥିଲା। ସୂଚନାଯୋଗ୍ୟ ଯେ, ରବି ଦହିୟା ଅଲିମ୍ପିକ୍ସର ଫାଇନାଲରେ ପହଞ୍ଚିଥିବା ଦ୍ୱିତୀୟ ଭାରତୀୟ କୁସ୍ତିଯୋଦ୍ଧା। ଏହାପୂର୍ବରୁ ସୁଶୀଲ କୁମାର ୨୦୧୨ ରେ ଫାଇନାଲରେ ପ୍ରବେଶ କରିଥିଲେ।
ଚଳିତ ଅଲିମ୍ପିକ୍ସରେ ଆରମ୍ଭରୁ ହିଁ ସେ ଦମଦାର ପ୍ରଦର୍ଶନ କରିଥିଲେ। ରାଉଣ୍ଡ-୧୬ରେ ରବି କୁମାର କଲମ୍ବିଆର ଓସ୍କାର ଏଡୁଆର୍ଡ ଟାଇଗ୍ରେରସଙ୍କୁ ୧୩-୨ ପଏଣ୍ଟରେ ହରାଇ କ୍ୱାର୍ଟର୍ ଫାଇନାଲରେ ପ୍ରବେଶ କରିଥିଲେ। ଅନ୍ତିମ-୮ରେ ବୁଲଗେରିଆର ଜର୍ଜି ଭାଙ୍ଗେଲୋଭଙ୍କୁ ୧୪-୪ରେ ହରାଇଥିବା ବେଳେ ସେମିଫାଇନାଲରେ କଜାଖସ୍ତାନର ନୁରିସ୍ଲାମ୍ ସାନାୟେଭଙ୍କୁ ଭିକ୍ଟରୀ ବାଏ ଫଲରେ ୭-୯ରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲେ ରବି କୁମାର।
ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ରୋପ୍ୟ ପଦକ ଜିତିଥିବା କୁସ୍ତିଯୋଦ୍ଧା ରବି ଦହିୟାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍ କରି କହିଛନ୍ତି, “ରବି କୁମାର ଦହିୟା ଜଣେ ଉଜ୍ଜ୍ୱଳ କୁସ୍ତିଯୋଦ୍ଧା। ତାଙ୍କର ସଂଗ୍ରାମ ଭାବନା ଓ ତପ ଉତ୍କୃଷ୍ଟ। ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ରୋପ୍ୟ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ। ଭାରତ ତାଙ୍କ ସଫଳତା ପାଇଁ ଗର୍ବିତ।”