ରାଜ୍ୟରେ ଉତ୍ତୋଳନ ହେଉଥିବା ଅଧା ଲୁହାପଥର ରାଜ୍ୟରେ ବ୍ୟବହାର ହେଉନି : ବିଧାନସଭାରେ ସୂଚନା ଦେଲେ ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ହ୍ରାସ ପାଉଛି ଲୁହାପଥର ବ୍ୟବହାର। ଏ ସମ୍ପର୍କରେ ଖୋଦ୍ ରାଜ୍ୟ ସରକାର ବିଧାନସଭାରେ ସୂଚନା ଦେଇଛନ୍ତି। ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ମୁତାବକ, ଗତ ଚାରିବର୍ଷ ମଧ୍ୟରେ ରାଜ୍ୟରୁ ଯେତିକି ଲୁହାପଥର ଉତ୍ତୋଳନ ହେଉଛି ତାହାର ଅଧା ବି ରାଜ୍ୟ ଭିତରେ ବ୍ୟବହାର ହେଉନାହିଁ । ଅନ୍ୟ ରାଜ୍ୟରେ ଏହାର ବ୍ୟବହାର କମି କମି ଚାଲିଥିବାବେଳେ ରପ୍ତାନି କିନ୍ତୁ ବୃଦ୍ଧି ପାଉଛି ।

ବିଜେପି ବିଧାୟକ ମୋହନ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୧୭-୧୮ ମସିହାରେ ରାଜ୍ୟରେ ଯେତିକି ଲୁହାପଥର ଉତ୍ତୋଳନ ହୋଇଥିଲା ତାହାର ୪୪.୪୬୫ ପ୍ରତିଶତ ରାଜ୍ୟ ଭିତରେ ବ୍ୟବହାର ହୋଇଥିଲା ଏବଂ ବାକି ୫୨.୧୬୦ ପ୍ରତିଶତ ବାହାର ରାଜ୍ୟରେ ବ୍ୟବହାର ହୋଇଥିଲା। ସେହିଭଳି ରାଜ୍ୟରୁ ୩.୩୭୪ ପ୍ରତିଶତ ଲୁହାପଥର ରପ୍ତାନି ହୋଇଥିଲା । ତେବେ ଏହା ପରଠାରୁ ଲଗାତାର ଭାବେ ରାଜ୍ୟ ଭିତରେ ଉତ୍ପାଦିତ ଲୁହାପଥରର ବ୍ୟବହାର କମିବାରେ ଲାଗିଛି ।

୨୦୨୦-୨୧ ବର୍ଷରେ ଉତ୍ତୋଳିତ ମୋଟ୍‍ ଲୁହାପଥର ମଧ୍ୟରୁ ୪୦.୧୬୭ ପ୍ରତିଶତ ରାଜ୍ୟ ଭିତରେ ବ୍ୟବହାର ହୋଇଥିବାବେଳେ ରାଜ୍ୟ ବାହାରେ ୩୯.୧୪୯ ପ୍ରତିଶତ ବ୍ୟବହାର ହୋଇଥିଲା । ତେବେ ଚଳିତ ବର୍ଷ ମୋଟ୍‍ ଲୁହାପଥରର ୨୦ ପ୍ରତିଶତରୁ ଅଧିକ ରପ୍ତାନି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୦୧୯-୨୦ ଓ ୨୦୨୦-୨୧ ବର୍ଷରେ ଉତ୍ତୋଳନ ହେଉଥିବା ଲୁହାପଥର ମଧ୍ୟରୁ ରପ୍ତାନି ପରିମାଣ ବୃଦ୍ଧିପାଇବା ସହିତ ଗୋଟିଏ ବର୍ଷରେ ଏହା ପାଖାପାଖି ଦୁଇଗୁଣ ହୋଇ ଯାଇଛି ।

ତେବେ ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟରୁ କେତେ ପରିମାଣରେ ଲୁହାପଥର ଉତ୍ତୋଳନ ହେବ ଏବଂ ଏହାର କେତେ ପରିମାଣ ରାଜ୍ୟ ଭିତରେ, କେତେ ପରିମାଣ ରାଜ୍ୟ ବାହାରେ ଓ କେତେ ପରିମାଣ ରପ୍ତାନି କରାଯିବ ସେ ନେଇ କୌଣସି ଆକଳନ ହୋଇନଥିବା ସୂଚନା ମିଳିଛି । ସେହିଭଳି ଗୋଟିଏ ନିୟୁତ ଟନ୍‍ ଲୁହାପଥର ଉତ୍ତୋଳନରେ କେତେ ସଂଖ୍ୟକ କର୍ମଚାରୀ ନିଯୁକ୍ତି ହୋଇଥାନ୍ତି ଏବଂ ଏକ ନିୟୁତ ଟନ୍‍ ଇସ୍ପାତ ଉତ୍ପାଦନରେ କେତେ ସଂଖ୍ୟକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ପାଇଥାନ୍ତି ତାହାର ଆକଳନ ପାଇଁ ଆଇନ୍‍ରେ କୌଣସି ବ୍ୟବସ୍ଥା ନଥିବା ବିଭାଗୀୟ ମନ୍ତ୍ରୀ ବିଧନସଭାକୁ ସୂଚିତ କରିଛନ୍ତି ।

Related Posts