ତାଜମହଲ ନିର୍ମାଣ ହୋଇନଥିଲେ ଆଜି ୪୦ ଟଙ୍କାରେ ପେଟ୍ରୋଲ ମିଳିଥାନ୍ତା: ଅସଦୁଦ୍ଦିନ ଓୱେସି

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ଏବଂ ବେକାରୀ ଭଳି ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ଏଆଇଏମ୍‌ଆଇଏମ୍‌ (AIMIM) ମୁଖ୍ୟ ଅସଦୁଦ୍ଦିନ ଓୱେସି | କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଏହି ସବୁ ସମସ୍ୟା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି, ମୋଗଲମାନେ ଦାୟୀ ବୋଲି ତାତ୍ସଲ୍ୟ କରି ସେ କହିଛନ୍ତି । AIMIMର ଟ୍ୱିଟର ହ୍ୟାଣ୍ଡେଲରୁ ଓୱେସିଙ୍କ ଏକ ଭିଡିଓ ଶେଆର କରାଯାଇଛି ।

ଏହି ଭିଡିଓରେ ଓୱେସି କହିଛନ୍ତି, ଭାରତର ଯୁବକମାନେ ଏବେ ବେକାର ଅଛନ୍ତି, ମୁଦ୍ରାସ୍ଫୀତି ଆକାଶକୁ ଛୁଇଁଛି, ଡିଜେଲ ଲିଟର ଶହେ ଟଙ୍କାରୁ ଅଧିକ ହୋଇଛି । ହେଲେ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ନୁହନ୍ତି, ମୋଗଲ ସମ୍ରାଟ ଆଉରଙ୍ଗଜେବ ହିଁ ଦାୟୀ। ଯୁବକଙ୍କ ପାଇଁ କୌଣସି କାମ ନାହିଁ, ଏଥିପାଇଁ ସମ୍ରାଟ ଆକବର ଦାୟୀ । ପେଟ୍ରୋଲ ଲିଟର ୧୧୫ ଟଙ୍କା ହୋଇଛି, ଏଥିପାଇଁ ତାଜମହଲର ନିର୍ମାଣକାରୀ ଦାୟୀ । ଯଦି ତାଜମହଲ ନିର୍ମାଣ ହୋଇନଥାନ୍ତା, ତେବେ ଆଜି ୪୦ ଟଙ୍କାରେ ପେଟ୍ରୋଲ ମିଳିଥାନ୍ତା। ସେ ତାଜମହଲ ଏବଂ ଲାଲ କିଲ୍ଲା ନିର୍ମାଣ କରି ବହୁତ ବଡ଼ ଭୁଲ କରିଥିଲେ। ଏହା କରାଯିବା ଉଚିତ ନ ଥିଲା । ସେହି ଅର୍ଥ ସଞ୍ଚୟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବା ଉଚିତ ଥିଲା ବୋଲି କହି କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ଓୱେସି ।

ସେ କହିଛନ୍ତି, ଭାରତରେ କ’ଣ କେବଳ ମୋଗଲମାନେ ଶାସନ କରୁଥିଲେ। ତାଙ୍କ ପୂର୍ବରୁ ଅଶୋକ, ଚନ୍ଦ୍ରଗୁପ୍ତ ବି ଏହି ଦେଶକୁ ଶାସନ କରୁଥିଲେ। କିନ୍ତୁ ଭାଜପାକୁ ଗୋଟିଏ ଆଖିରେ ମୋଗଲ ଓ ଅନ୍ୟ ଆଖିରେ ପାକିସ୍ତାନ ଦେଖାଯାଉଛି।

ଏନେଇ ଓୱେସି କହିଛନ୍ତି, ଆମକୁ କିନ୍ତୁ ମୋଗଲଠୁ କିଛି ନେବାର ନାହିଁ କି ପାକିସ୍ତାନ ସହ କିଛି ସମ୍ପର୍କ ନାହିଁ। ଆମର ଜିନ୍ନା ସହ ବି କିଛି ସମ୍ପର୍କ ନାହିଁ । ଭାରତ ଆମ ଜନ୍ମଭୂମି। ବଞ୍ଚିବୁ ଏଠି, ମରିବୁ ବି ଏଠି । ଭାରତକୁ ଛାଡ଼ି କୁଆଡ଼େ ଯିବାର ପ୍ରଶ୍ନ ଉଠୁନି ।

ମହମ୍ମଦଙ୍କୁ ନେଇ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ଉପରେ ପ୍ରଧାନମନ୍ତ୍ରୀ ଚୁପ୍‌ ରହିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓୱେସି । ଏନେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ଏ ବାବଦରେ ଚୁପ୍ ଅଛନ୍ତି? ସେ କେବଳ ନୁପୁର ଶର୍ମାଙ୍କର ପ୍ରଧାନମନ୍ତ୍ରୀ ନୁହଁନ୍ତି, ସେ ଦେଶର ୧୩୩ କୋଟି ଲୋକଙ୍କର ପ୍ରଧାନମନ୍ତ୍ରୀ। ଯେଉଁଥିରେ ପ୍ରାୟ ୨୦ କୋଟି ମୁସଲମାନ ମଧ୍ୟ ଆସନ୍ତି । ଆମେ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛୁ କେତେ ଦିନ ପର୍ଯ୍ୟନ୍ତ ଆପଣ ନୂପୁର ଶର୍ମାଙ୍କୁ ବଞ୍ଚାଇପାରିବେ, ତାଙ୍କୁ ଏ ପର୍ଯ୍ୟନ୍ତ ଗିରଫ କାର୍ହିକି କରାଯାଇନି।

Related Posts