ଗୁଜୁରାଟ ନିର୍ବାଚନ ଫଳ; ଟ୍ରେଣ୍ଡ୍ ଅନୁସାରେ ହାର୍ଦ୍ଦିକ, ଅଳ୍ପେଶ ଆଗୁଆ ଜିଗ୍ନେଶ ମେୱାନୀ ପଛୁଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ ଫଳ ଆସୁଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖାଯାଉଥିବା ଟ୍ରେଣ୍ଡ୍ ଅନୁସାରେ ଏଠାରେ ପୁଣି ବିଜେପି କ୍ଷମତାକୁ ଆସିବାକୁ ଯାଉଛି। ତେବେ ଏସବୁ ମଧ୍ୟରେ ସମସ୍ତଙ୍କ ନଜର ରଖିଛି ଗୁଜରାଟ ରାଜନୀତିର ୩ ଫାୟାରବ୍ରାଣ୍ଡ ତଥା ଯୁବ ନେତା ହାର୍ଦ୍ଦିକ ପଟେଲ, ଅଳ୍ପେଶ ଠାକୁର ଓ ଜିଗ୍ନେଶ ମେୱାନୀଙ୍କ ଉପରେ। ସେମାନେ ମଧ୍ୟ ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ହାର୍ଦ୍ଦିକ ପଟେଲ କଂଗ୍ରେସ ଛାଡ଼ି ବିଜେପିରୁ ନିର୍ବାଚନ ଲଢ଼ୁଥିବା ବେଳେ ଅଳ୍ପେଶ ମଧ୍ୟ ପଦ୍ମ କ୍ୟାମ୍ପରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଜିଗ୍ନେଶ କଂଗ୍ରେସ ପକ୍ଷରୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି।ବିଜେପି ହାର୍ଦ୍ଦିକଙ୍କୁ ବୀରମଗାମରୁ ପ୍ରାର୍ଥୀ କରିଛି। ସେହିପରି ଜିଗ୍ନେଶ ବଡ଼ଗାମରୁ ବିଧାୟକ ଥିବା ବେଳେ କଂଗ୍ରେସ ତାଙ୍କୁ ସେହିଠାରୁ ହିଁ ଟିକେଟ ଦେଇଥିଲେ। ଅଳ୍ପେଶ ଠାକୁ ଗାନ୍ଧି ନଗର ଦକ୍ଷିଣରୁ ଲଢ଼ୁଛନ୍ତି।

ଏବେ ସାମ୍ନାକୁ ଆସିଥିବା ଟ୍ରେଣ୍ତ ଅନୁଯାୟୀ, ହାର୍ଦ୍ଦିକ ପଟେଲ ବୀରମଗାମ ଆସନରୁ ପ୍ରାୟ ୨୧ ହଜାର ଭୋଟରେ ଆଗରେ ରହିଛନ୍ତି। ଏଠାରେ ହାର୍ଦ୍ଦିକଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ କଂଗ୍ରେସ ଲଖାଭାଇ ଭରୱାଡଙ୍କୁ ପ୍ରାର୍ଥୀ କରିଛି। ହେଲେ ବର୍ତ୍ତମାନ ସୁଦ୍ଧା ହାର୍ଦ୍ଦିକଙ୍କ ଦବଦବା ଦେଖିବାକୁ ମିଳିଛି। ପଟିଦାର ସଂପ୍ରଦାୟର ଲୋକଙ୍କ ସଂରକ୍ଷଣ ପାଇଁ ୨୦୧୫ରେ ହାର୍ଦ୍ଦିକ ବିଜେପି ସରକାର ବିରୋଧରେ ବିଶାଳ ବିକ୍ଷୋଭ ଆରମ୍ଭ କରିଥିଲେ।

ଏହି ବିକ୍ଷୋଭ ହିଁ ହାର୍ଦ୍ଦିକଙ୍କୁ ନୂଆ ପରିଚୟ ଦେଇଥିଲା। ୨୦୧୭ରେ ସେ ବିଜେପି ସରକାର ବିରୋଧରେ ପ୍ରଚାର କରିବାରୁ କଂଗ୍ରେସକୁ ବେଶ ଫାଇଦା ମିଳିଥିଲା। ଦଳର ପ୍ରାୟ ୮୦ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ କଂଗ୍ରେସରେ ସାମିଲ ହୋଇଥିଲେ। କିନ୍ତୁ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ବିଜେପି ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ମଧ୍ୟ ବିଜୟ ଦିଗରେ ଆଗକୁ ବଢ଼ୁଛନ୍ତି। ଅଳ୍ପେଶ ଠାକୁର ମଧ୍ୟ ହାର୍ଦ୍ଦିକଙ୍କ ସହ ବିଜେପିରେ ମିଶିଥିଲେ। ତାଙ୍କୁ ଦଳ ଗାନ୍ଧିନଗର ସାଉଥରୁ ପ୍ରାର୍ଥୀ କରିଥିଲା। ସେ କଂଗ୍ରେସ ଓ ଆପ୍‌ ପ୍ରାର୍ଥୀଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି।

ଅନ୍ୟପକ୍ଷରେ ବଡ଼ଗାମ ଆସନରେ ବିଧାୟକ ମେୱାନୀ ପଛରେ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୦୧୭ରେ ମେୱାନୀ ଏଠାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ତେବେ ଏଥର ସେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, ମେୱାନୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ମଣିଭାଇ ବାଘେଲଙ୍କ ଠାରୁ ପଛରେ ରହିଛନ୍ତି। ମେୱାନୀ ଏଯାଏ ୨୮,୫୯୪ ଖଣ୍ଡ ଭୋଟ ପାଇଛନ୍ତି। କିନ୍ତୁ ସେ ବିଜେପିର ମଣିଭାଇଙ୍କ ଠାରୁ ୨,୪୬୬ ଖଣ୍ଡ ଭୋଟ ପଛରେ ରହିଛନ୍ତି।ମଣିଭାଇ ହେଉଛନ୍ତି ପୂର୍ବତନ କଂଗ୍ରେସ ନେତା। ୨୦୧୭ରେ କଂଗ୍ରେସ ତାଙ୍କୁ ଏଠାରେ ପ୍ରାର୍ଥୀ ନ କରିବାରୁ ସେ ବିଜେପିରେ ମିଶିଥିଲେ। କିନ୍ତୁ ୨୦୧୭ରେ ତାଙ୍କୁ ମେୱାନୀଙ୍କ ଠାରୁ ହାରିବାକୁ ପଡ଼ିଥିଲା। ସେ ୨୦୧୨ରୁ ୨୦୧୭ ଯାଏ ଏଠାରେ ବିଧାୟକ ରହିଥିଲେ।

Related Posts