ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ରବିବାର ଦିନ ପୋଲିସ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ୫୫୦ କୋଟି ଟଙ୍କା ବଜେଟ୍ ଘୋଷଣା କରିଛନ୍ତି। ଟୁଇଟରରେ ଏନେଇ ଭୁପେନ୍ଦ୍ର ପଟେଲ ସୂଚନା ଦେଇ କହିଛନ୍ତି, “ଜରୁରୀକାଳୀନ ଭିତ୍ତିରେ ପୋଲିସ ବିଭାଗର କର୍ମଚାରୀଙ୍କ ଦାବିକୁ ଦୃଷ୍ଟିରେ ରଖି ଏକ କମିଟି ଗଠନ କରାଯାଇଥିଲା। ସେହି ଅନୁଯାୟୀ ମୋର ଅଧ୍ୟକ୍ଷତାରେ ଗୃହମନ୍ତ୍ରୀଙ୍କ ସହ ଅନେକ ବୈଠକ ଆୟୋଜିତ ହୋଇଥିଲା ଏବଂ ଆଲୋଚନା କରାଯାଇଥିଲା।ଏହାପରେ କମିଟିର ସୁପାରିଶକୁ ଗ୍ରହଣ କରି ପୋଲିସ୍ ଏବଂ ସେମାନଙ୍କ ପରିବାର କଲ୍ୟାଣ ପାଇଁ ବାର୍ଷିକ ୫୫୦ କୋଟି ଟଙ୍କା ବଜେଟ୍ ଅନୁମୋଦନ କରାଯାଇଛି। “
ତେବେ କୌତୁହଳର ବିଷୟ ଏହା ଯେ, କିଛି ଦିନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଗୁଜରାଟର ଅହମ୍ମଦାବାଦ ଗସ୍ତ କରିଥିଲେ, ସେତେବେଳେ ସେ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ତାଙ୍କ ଦଳ ରାଜ୍ୟରେ କ୍ଷମତାକୁ ଆସେ, ତେବେ ଗ୍ରେଡ୍ ଦରମା ସମସ୍ୟା ସମାଧାନ ହେବ ଏବଂ ପୋଲିସ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ। ଦୀର୍ଘ ଦିନ ଧରି ପୋଲିସର ଗ୍ରେଡ୍ ଦରମା ବୃଦ୍ଧି ପାଇଁ ଗୁଜୁରାଟରେ ଦାବି ହୋଇ ଆସୁଛି। ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। କେଜ୍ରିୱାଲ ତାଙ୍କର ଶେଷ ଗସ୍ତରେ ଗୁଜୁରାଟ ପୋଲିସର ଗ୍ରେଡ୍ ବେତନ ବୃଦ୍ଧି କରିବାକୁ ପ୍ରତିଶୃତି ଦେଇଥିଲେ। ତେବେ ଗୁଜୁରାଟରେ ଅରବିନ୍ଦ କେଜ୍ରିୱାଲଙ୍କ ଘୋଷଣା ପରେ ବିଜେପି ସରକାର ଏହି ବଜେଟ ଘୋଷଣା କରିଛନ୍ତି। କେଜ୍ରିୱାଲଙ୍କୁ ଚେକ୍ ଦେବାକୁ ୫୫୦ କୋଟି ଟଙ୍କା ପୋଲିସ କଲ୍ୟାଣ ପ୍ୟାକେଜ ଘୋଷଣା କରାଯାଇଛି ବୋଲି କୁହାଯାଉଛି । ତେବେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ଥିବାବେଳେ ଏହି ପ୍ରସଙ୍ଗରେ ଆଗକୁ ଜୋରଦାର ରାଜନୈତିକ ବୟାନ ବାଜି ହେବା ନେଇ ଆଶା କରାଯାଉଛି।