ବିଲକିସ୍‌ ବାନୋ ବଳାତ୍କାରୀ ମାନଙ୍କୁ ସରକାର ମୁକ୍ତ କରିବା ମୋତେ ଚକିତ କରିଛି: ଶରଦ ପାୱାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଲକିସ୍‌ ବାନୋ ବଳାତ୍କାର ଘଟଣାରେ ୧୧ଜଣ ଦୋଷୀଙ୍କୁ ଗୁଜରାଟ ସରକାର ମୁକ୍ତ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ଏନ୍‌ସିପି ପ୍ରମୁଖ ଶରଦ ପୱାର। ପାୱାର ଏହି ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି ।ଏହି ମାମଲାରେ ୧୧ଜଣ ଦୋଷୀଙ୍କୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଆଜୀବନ ଜେଲ୍‌ରେ ରଖିବାକୁ ନିର୍ଦେଶ ଦେଇଥିବା ବେଳେ ଗୁଜରାଟ ସରକାର ସେମାନଙ୍କୁ ମୁକ୍ତ କରିବା ତାଙ୍କୁ ଚକିତ କରିଛି ବୋଲି ପୱାର କହିଛନ୍ତି। ସ୍ଵାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲ କିଲ୍ଲାରୁ ନାରୀଙ୍କୁ ସମ୍ମାନ ଓ ସମର୍ଥନ ଦେବାକୁ ଉଦ୍‌ବୋଧନ ଦେଇଥିବା ବେଳେ ଅନ୍ୟପକ୍ଷରେ ତାଙ୍କ ନିଜ ରାଜ୍ୟରେ ଗଣ ବଳତ୍କାରୀଙ୍କୁ ମୁକ୍ତ କରାଯିବା ଦୁର୍ଭାଗ୍ୟଜନକ ବୋଲି ପୱାର କହିଛନ୍ତି। ସେହିପରି ଅଣବିଜେପି ଶାସିତ ରାଜ୍ୟରେ ସରକାର ଭାଙ୍ଗିବା ପାଇଁ କେନ୍ଦ୍ରୀୟ ସଂସ୍ଥାମାନଙ୍କ ଦୁରୁପଯୋଗ କରାଯାଉଥିବା ପୱାର ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଅଣବିଜେପି ଦଳମାନଙ୍କୁ ଏକତ୍ର କରିବାକୁ ସେ ପ୍ରୟାସ କରିବେ ବୋଲି ପୱାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ୧୪ ଜଣଙ୍କୁ ହତ୍ୟା କରିବା ଘଟଣାରେ ୧୧ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେମାନଙ୍କୁ ଏହି ବର୍ବରକାଣ୍ଡ ପାଇଁ ୧୫ ବର୍ଷ ତଳେ ଆଜୀବନ ଜେଲଦଣ୍ଡ ମିଳିଥିଲା। ହେଲେ ସ୍ୱାଧୀନତା ଦିବସରେ ଗୁଜରାଟ ସରକାରଙ୍କ ସ୍ୱତନ୍ତ୍ର ପ୍ୟାନେଲର ପରାମର୍ଶକ୍ରମେ ସେମାନଙ୍କୁ କ୍ଷମା ନୀତି ଅନୁସାରେ ଜେଲରୁ ଖଲାସ କରି ଦିଆଯାଇଛି। ତେବେ ଏହି ଦୋଷୀ ମାନଙ୍କୁ ସରକାର ମୁକ୍ତ କରିବା ପରେ ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯାଇଛି।

Related Posts