ଟଙ୍କାଏ ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ, ଆଦର୍ଶ ବିଦ୍ୟା‌ଳୟ ‌ହଷ୍ଟେଲ୍‌ ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାର ସ୍କୁଲପିଲାଙ୍କ ମଧ୍ୟାହ୍ନଭୋଜନ ଖର୍ଚ୍ଚକୁ ପ୍ରତି ପିଲା ପିଛା ଦୈନିକ ଏକ ଟଙ୍କା ବୃଦ୍ଧି କରିଛନ୍ତି । ଏହାସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ମାସିକ ୨ହଜାର ଟଙ୍କା ଖର୍ଚ୍ଚକୁ ମଧ୍ୟ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି । ଏଣିକି ପିଲାମାନେ ଆଦର୍ଶ ସ୍କୁଲ ହଷ୍ଟେଲରେ ମାଗଣାରେ ରହିପାରିବେ ଓ ରାଜ୍ୟ ସରକାର ସେମାନଙ୍କ ହଷ୍ଟେଲ ଖର୍ଚ୍ଚ ବହନ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁବାର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ରେ ଯୋଗ ଦେଇ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ଓ ଐତିହ୍ୟ ସ୍କୁଲ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହାସହିତ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପ୍ରତି ପିଲା ପିଛା ଏକ ଟଙ୍କା ବୃଦ୍ଧି ଘୋଷଣା କରଇଛନ୍ତି । ରାଜ୍ୟର ପ୍ରାୟ ୫୦ହଜାରରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବଢ଼ୁଥିବା ପ୍ରାୟ ୪୩ଲକ୍ଷ ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହେବେ । ଏବେ ପ୍ରତ୍ୟେକ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ଖର୍ଚ୍ଚ ବାବଦରେ ରାଜ୍ୟ ସରକାର ଦୈନିକ ୫.୯୦ଟଙ୍କା ଓ ଉଚ୍ଚପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୮.୮୨ଟଙ୍କା ଦେଉଛନ୍ତି । ବଜାର ଦରବୃଦ୍ଧିକୁ ଦୃଷ୍ଟିରେ ଣଖି ସରକାର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ମଧ୍ୟାହ୍ନଭୋଜନ ଖର୍ଚ୍ଚରେ ଏକ ଟଙ୍କା ବୃଦ୍ଧି କରିଛନ୍ତି ।

ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କଠୁ ନିଆଯାଉଥିବା ମାସିକ ୨ହଜାର ଟଙ୍କା ଲେଖାଏଁ ଖାଇବା ଖର୍ଚ୍ଚକୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅଭିଭାବକମାନଙ୍କ ଅନୁରୋଧକୁ ରକ୍ଷା କରି ସରକାର ଏହି ମାସିକ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ୩୧୪ ବ୍ଲକରେ ଓଡ଼ିଶା ଆଦର୍ଶ ସ୍କୁଲ ମଧ୍ୟରୁ ୧୭୩ଟି ଆଦର୍ଶ ସ୍କୁଲରେ କସ୍ତୁରବା ବାଳିକା ବିଦ୍ୟାଳୟ ଯୋଜନା ଅଧୀନରେ ବାଳିକା ହଷ୍ଟେଲ ନିମନ୍ତେ କେନ୍ଦ୍ର ସରକାର ଅନୁମୋଦନ ଦେଇସାରିଛନ୍ତି । ଯେଉଁଠି ସମସ୍ତ ଛାତ୍ରୀଙ୍କ ନିମନ୍ତେ ମାଗଣା ରହିବା ଓ ଖାଇବାର ବ୍ୟବସ୍ଥା ରହିଛି । ବାକି ୧୪୧ଟି ବାଳିକା ହଷ୍ଟେଲ ଓ ୩୧୪ଟି ବାଳକ ହଷ୍ଟେଲରେ ଏହି ମାଗଣା ବ୍ୟବସ୍ଥା କାର୍ଯ୍ୟକ୍ଷମ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଓଡ଼ିଶା ଆଦର୍ଶ ସ୍କୁଲର ମୋଟ ୪୫୫ଟି ହଷ୍ଟେଲରେ ଅନ୍ତେବାସୀଙ୍କଠୁ ନିଆଯାଉଥିବା ମାସିକ ୨ହଜାର ଟଙ୍କା ଲେଖାଏଁ ଖାଇବା ଖର୍ଚ୍ଚକୁ ଏଣିକି ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମସ୍ତ ହଷ୍ଟେଲରେ ଏହି ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ମୂଳଖର୍ଚ୍ଚ ୬୩.୭୦କୋଟି ଟଙ୍କାକୁ ବାଦ୍ ଦେଲେ ବାର୍ଷିକ ୧୮୭.୧୫କୋଟି ଟଙ୍କା ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ’କୁ ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ପ୍ରତି ପଂଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ସ୍କୁଲ ନିର୍ମାଣ ପାଇଁ ଯୋଜନା କରାଯାଇଛି । ମୋଟ ୬୭୯୪ଟି ସ୍କୁଲ ନିର୍ମାଣ କରାଯାଇ ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଆଦର୍ଶ ଶିକ୍ଷା ପରିବେଶ ଥିଲା ତାହା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ସବୁ ସ୍କୁଲରେ କ୍ରୀଡ଼ା, ଶାରୀରିକ ବ୍ୟାୟାମ, ସାମାଜିକ ଓ ସାଂସ୍କୃତିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବା ସହ ସମସ୍ତ ପ୍ରକାରର ଅତ୍ୟାଧୁନିକ ଶିକ୍ଷା ଭିତ୍ତିଭୂମି ରହିବ ବୋଲି କହିଛନ୍ତି । ଏହି ଅବସରରେ ପୂର୍ବ ସରକାରଙ୍କ ‘ଫାଇଭ-ଟି ସ୍କୁଲ’ ଯୋଜନାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଟାକ୍ଷ କରିଛନ୍ତି । ପୂର୍ବ ସରକାର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ କାମ କରିନଥିଲେ ବରଂ ପୂର୍ବ ସରକାର ଅମଳରେ ପ୍ରାଥମିକ ସ୍କୁଲରେ ଶିକ୍ଷାର ମାନ କ୍ରମାଗତ ବିପର୍ଯ୍ୟସ୍ତ ହୋଇଥିବା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ‘ଐତିହ୍ୟ ବିଦ୍ୟାଳୟ’ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ୧୦୦ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ସ୍କୁଲ କିମ୍ବା ଜିଲ୍ଲାର ସର୍ବପୁରାତନ ସ୍କୁଲଗୁଡ଼ିକର ବିକାଶ କରାଯିବ । ଏହାର ଐତିହ୍ୟ ଓ ଐତିହାସିକ ଗୌରବର ପୁନଃପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ । ମୋଟ ୫୧ଟି ଐତିହ୍ୟ ବିଦ୍ୟାଳୟର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହି ରାଜ୍ୟସ୍ତରୀୟ ଶିଶୁ ଦିବସ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ବାବୁ ସିଂଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ୩୦ ଜିଲ୍ଲାର ୨ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Related Posts