ସତ୍ଯପାଠ ବ୍ୟୁରୋ (ସ୍ପେଶାଲ ଷ୍ଟୋରି) : ମରାଠା ସଂରକ୍ଷଣ ବିବାଦ ର ପ୍ରଭାବ ଏବେ ଓଡ଼ିଶା ଓବିସି ପଲଟିକ୍ସ ରେ ଦାନା ବାନ୍ଧିବା ଆରମ୍ଭ କରିଛି। ମାନ୍ୟବର ସୁପ୍ରିମକୋର୍ଟ ମହାରାଷ୍ଟ୍ରରେ ମରାଠା ସମ୍ପ୍ରଦାୟର ସଂରକ୍ଷଣକୁ ଅସାମ୍ବିଧାନିକ ବୋଲି କହିଛନ୍ତି। ସର୍ଵାଧିକ 50 ପ୍ରତିଶତ ସଂରକ୍ଷଣ ସୀମା ସ୍ଥିର କରିଥିବା ନିଷ୍ପତ୍ତିର ପୁନର୍ବିଚାର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ।
ମରାଠା ସଂରକ୍ଷଣ ପ୍ରସ୍ତାବ କୁ ସୁପ୍ରିମ୍କୋର୍ଟରେ ଝଟ୍କା ଲାଗିବାପରେ ଓଡିଶାରେ ପଛୁଆବର୍ଗଙ୍କ ପାଇଁ ଚାକିରିରେ ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ୨୭ପ୍ରତିଶତକୁ ବଢାଇବା ଆଶା କ୍ଷୀଣ ହୋଇପଡିଛି । ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ସୀମା ୫୦ ପ୍ରତିଶତରେ ସୀମିତ ରଖିବାପାଇଁ ସୁପ୍ରିମ୍କୋର୍ଟ ପୂର୍ବରୁ ଅନେକ ମାମଲାରେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହାକୁ କାଏମ ରଖିବା ଫଳରେ ଏହି ପରିସ୍ଥିତି ଉପୁଜିଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୨୪ ନିର୍ବାଚନରେ ଓଡ଼ିଶାର ଓଵିସି ଭୋଟ ଵ୍ୟାଙ୍କ ହାତେଇଵା ପାଇଁ ଉଭୟ ଵିଜେପି ଓ ଵିଜେଡି ଗତ ଦେଢ଼ ଵର୍ଷ ହେଲା ଗୋଟି ଚଳେଇଵା ଆରମ୍ଭ କରିଛନ୍ତି। ପ୍ରଥମେ ବିଜେପି ରାଜ୍ୟରେ ଵନ୍ଦ ପଡିଥିବା ଓଵିସି କମିଶନ ର ପୁର୍ନଗଠନ ଦାବି ଉଠାଇଲା। ତା ପଛକୁ ଵିଜେଡି ଓଵିସି ସମ୍ପ୍ରଦାୟର ଜନଗଣନା ଦାବି ଉଠାଇଲା।
ଓଵିସି ରିଜରଭେସନ୍ ପଲଟିକ୍ସ ର ଇତିହାସ
ଜନସଂଖ୍ୟା ଅନୁପାତରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ସରକାରୀ ଚାକିରି ଓ ବିଭିନ୍ନ ନିର୍ବାଚନରେ ସ୍ଥାନ ସଂରକ୍ଷଣ ଲାଗି ସାମ୍ବିଧାନିକ ବ୍ୟବସ୍ଥା ଅଛି । ଏହି ଭିତ୍ତିରେ ଜାତୀୟ ସ୍ତରରେ ଏହି ଦୁଇବର୍ଗଙ୍କ ଲାଗି ମୋଟ୍ ୨୨.୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିଛି । ତେବେ ଓଡିଶାରେ ଏହି ଦୁଇ ବର୍ଗଙ୍କର ସଂଖ୍ୟା ଆନୁପାତିକ ହାରରେ ଅଧିକ ରହିଥିବାରୁ ଅନୁସୂଚିତ ଜାତି ପାଇଁ ୧୬.୨୫ ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୨୨.୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଛି । ମୋଟାମୋଟି ଭାବେ ଆମ ରାଜ୍ୟରେ ଏହି ଦୁଇ ବର୍ଗଙ୍କ ଲାଗି ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ୩୮.୭୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଛି । ମୋରାରଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ କେନ୍ଦ୍ର ସରକାର ବିହାରର ବରିଷ୍ଠ ରାଜନେତା ବିନ୍ଧେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ବସାଇଥିବା କମିଶନ ପଛୁଆବର୍ଗଙ୍କ ପାଇଁ ଅନେକ ସୁପାରିଶ୍ ସହିତ ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଲାଗି କହିଥିଲେ । ପ୍ରାୟ ୧୦ବର୍ଷ ଧରି ଏହି କମିଶନଙ୍କ ରିପୋର୍ଟ ଅଲୋଡା ହୋଇ ରହିବାପରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ କଥା ଉଠିବାରୁ ଏହା ସପକ୍ଷରେ ଓ ବିପକ୍ଷରେ ପ୍ରବଳ ଜନମତ ସୃଷ୍ଟି ହୋଇଥିଲା ଏବଂ ଏହାକୁ ବିରୋଧ କରି ହୋଇଥିବା ଆନ୍ଦୋଳନରେ ମଧ୍ୟ ଓଡିଶା ସମେତ ବିଭିନ୍ନ ରାଜ୍ୟରେ କେତେକ ମୃତ୍ୟୁବରଣ କରିଥିଲେ ।
ଓଡ଼ିଶାରେ ଓବିସି ରିଜରଭେସନ୍
ସେତେବେଳର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଣ୍ଡଳ କମିଶନ ସୁପାରିଶ୍କୁ ଅଗ୍ରାହ୍ୟ କରି ଜଷ୍ଟିସ ନବ କୁମାର ଦାସ କମିଶନ ବସାଇଥିଲେ ଏବଂ ଏହି କମିଶନ ବ୍ୟାପକ ପରୀକ୍ଷା ନିରୀକ୍ଷା କରିବାପରେ ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ଉପରେ ମୋହର ମାରିବା ସହ ମୋଟ୍ ସଂରକ୍ଷଣସୀମା ୫୦ ପ୍ରତିଶତକୁ ଟପିବନାହିଁ ବୋଲି କହିବାପରେ ବିଜୁ ପଟ୍ଟନାୟକଙ୍କ ସରକାର ୧୯୯୩ର ଶେଷ ପର୍ଯ୍ୟାୟରେ ପଛୁଆବର୍ଗଙ୍କ ଲାଗି ୧୨ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ତେବେ ପରବର୍ତ୍ତୀ ସମୟରେ ୧୯୯୫ର ନିର୍ବାଚନ ପୂର୍ବରୁ ଏହି ସଂରକ୍ଷଣସୀମା ୨୭ ପ୍ରତିଶତକୁ ବଢାଇଥିଲେ ।
ଏଠାରେ ଉଲ୍ଲେଖନୀୟ ଯେ ୫୦ ପ୍ରତିଶତ ସୀମାକୁ ଆଖିଆଗରେ ରଖି କେନ୍ଦ୍ର ସରକାରୀ ଚାକିରିରେ ପଛୁଆବର୍ଗଙ୍କ ଲାଗି ୨୭ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଛି । ବିଜୁ ପଟ୍ଟନାୟକ ସରକାରର ଏହି ବର୍ଦ୍ଧିତ ସ୍ଥାନ ସଂରକ୍ଷଣ ସ୍ୟାଟ୍, ହାଇକୋର୍ଟ ଓ ସୁପ୍ରିମ୍କୋର୍ଟରେ କାଟ୍ ଖାଇଯିବାପରେ ପୁଣି ତାହା ୧୧.୨୫ ପ୍ରତିଶତକୁ ହ୍ରାସ ପାଇଥିଲା । ତେବେ ୨୦୦୮ ମସିହାରେ ରାଜ୍ୟ ସରକାର ବିଧାନସଭାରେ ଏକ ବିଲ୍ ପାରିତ କରାଇ ପଛୁଆବର୍ଗଙ୍କ ପାଇଁ ପୁଣି ୨୭ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଅମର ଛାଟୋଇ ନାମକ ଜଣେ ଚାକିରି ପ୍ରତ୍ୟାଶୀ ଏହାର ବିରୋଧ କରିବାରେ ସ୍ୟାଟ୍ ଓ ହାଇକୋର୍ଟ ପଛଆବର୍ଗଙ୍କ ଲାଗି ୨୭ ପ୍ରତିଶତ ସଂରକ୍ଷଣକୁ ଅଗ୍ରାହ୍ୟ କରିଦେବା ସହ ମୋଟ୍ ସଂରକ୍ଷଣ ୫୦ ପ୍ରତିଶତରେ ସୀମିତ ରଖିବାକୁ କହିଥିଲେ । ଏହା ବିରୁଦ୍ଧରେ ରାଜ୍ୟ ସରକାର ସୁପ୍ରିମ୍କୋର୍ଟ ଯାଇଛନ୍ତି ।
ପୌର ନିର୍ବାଚନ ପରିପ୍ରେକ୍ଷୀରେ ଓଡିଶା ସରକାର ପଛୁଆବର୍ଗଙ୍କ ପାଇଁ ପୁଣି ୨୭ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବାବେଳେ ତାହା ଆଉଥରେ ଆଇନ୍ ଅଦାଲତରେ ନାକଚ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ପଛୁଆବର୍ଗଙ୍କ ଲାଗି ସ୍ଥାନ ସଂରକ୍ଷଣ ଚାକିରି ଓ ନିର୍ବାଚନ କ୍ଷେତ୍ରରେ ୨୭ପ୍ରତିଶତକୁ ବୃଦ୍ଧି ପାଇବା ଆଶା କ୍ଷୀଣ ବୋଲି ଆଇନ୍ ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏପରି ସ୍ଥିତିରେ ଏଵେ ଉଭୟ ଵିଜେପି ଓ ଵିଜେଡି ପାଇଁ ମୁଣ୍ଡଵିନ୍ଧା ର କାରଣ ହେଉଛି, ମରାଠା ରାୟ ପରେ ରାଜ୍ୟରେ ଓଵିସି ସମ୍ପ୍ରଦାୟକୁ ୨୭% ରିଜରଭେସନ୍ ଥୋପ ରୁ ନଜର ହଟେଇ କଣ ନୂଆ ଗ୍ରହଣୀୟ ପ୍ରସ୍ତାବ ଦିଆଯିବ ଯାହାକି ୨୦୨୪ ରେ ଦାନା ଵାନ୍ଧିଵ।