ଭୁବନେଶ୍ୱର,୩୦/୧୦(ସତ୍ୟପାଠ ବ୍ୟୁରୋ): ନଭେମ୍ବରରୁ ମିଳିବ ନୂଆ ରାସନକାର୍ଡ। ଆଜି ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ନୂଆ ରାସନ୍ କାର୍ଡ ପାଇଁ ଆବେଦନ କରିଥିବା ୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ରୋହିଙ୍ଗ୍ୟା କିମ୍ବା ବିଦେଶୀଙ୍କୁ ମିଳିଥିବା ରାସନ କାର୍ଡର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରୋହିଙ୍ଗ୍ୟାମାନେ କାର୍ଡ ପାଇଥିଲେ ଏହାକୁ କଟାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଇ-କେଓ୍ୱାଇସି ଯାଞ୍ଚ ଚାଲିଛି । ଆଉ ୧୦ ଦିନ ଭିତରେ ଯାଞ୍ଚ ଶେଷ ହେବ । ଏହାପରେ ଯେଉଁମାନେ ଅଯୋଗ୍ୟ ଥିବେ ସେମାନଙ୍କ କାର୍ଡ କାଟିବେ ରାଜ୍ୟ ସରକାର । ଇ- କେୱାଇସି ପ୍ରକ୍ରିୟା ସରିବା ପରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଜଣାପଡ଼ିବ ବୋଲି ମନ୍ତ୍ରୀ ଦୋହରାଇଛନ୍ତି ।
ଏପଟେ ଡିଲର ପଏଣ୍ଟରେ ଚାଲିଛି ରାସନକାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍ । ନାଁ ଓ ଆଧାର ନମ୍ବର ଯାଂଚ୍ ପରେ ନିଆଯାଉଛି ହିତାଧିକାରୀଙ୍କ ଦସ୍ତଖତ ଓ ଟିପ ଚିହ୍ନ । ପରିବାରର ସବୁ ସଦସ୍ୟ, ଯାହା ଯାହା ନାଁରେ ରାସନ ମିଳୁଛି, ସମସ୍ତଙ୍କ ହେଉଛି ଯାଂଚ୍ । ପରେ ଇ-କେୱାଇସି ଜରିଆରେ ଅପଡେଟ୍ କରୁଛନ୍ତି ଡିଲର।
ନାଁ ନଥାଇ କିଏ ରାସନ୍ ନେଉଛି ତ କିଏ ମରିବାର ବର୍ଷ ବର୍ଷ ବିତିଥିଲେ ବି ରାସନକାର୍ଡରୁ ନାଁ କଟିନି । ହଜାର ହଜାର ବଡ଼ ବଡିଆ ବି ଉଠାଉଛନ୍ତି ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ । ତେବେ ରାଜ୍ୟରେ ପାଖାପାଖି ୨୫ ଲକ୍ଷ ଭୂତ ହିତାଧିକାରୀ ରହିଥିବା ପୂର୍ବରୁ ବିଧାନସଭାରେ କହିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।