ଗାଙ୍ଗପୁର ଆଇଆଇସିଙ୍କ ମୃତ୍ୟୁ ମାମଲା; ଆଇଆଇସିଙ୍କୁ ଛୁଟି ଦେବାକୁ ଅନୁରୋଧ କରୁଥିବାର ଅଡିଓ କ୍ଲିପ୍ ଭାଇରାଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗାଙ୍ଗପୁର ଆଇଆଇସିଙ୍କ ମୃତ୍ୟୁ ମାମଲାର ରହସ୍ୟ ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେଲା କିଛି ଅଡିଓ କ୍ଲିପ୍ ଭାଇରାଲ୍ ହେଉଛି । ଭଞ୍ଜନଗର ଏସଡିପିଓ ଓ ମୃତ ଆଇଆଇସିଙ୍କ ପତ୍ନୀ ଏବଂ ଏସଡିପିଓ ଓ ଦେବ କୁମାର ଗମାଙ୍ଗ, ଏସଆଇ ସୁବ୍ରଜିତ୍ ସାମନ୍ତରାୟଙ୍କ ମଧ୍ୟରେ କଥାବାର୍ତାର ଅଡିଓ କ୍ଲିପ୍ ଭାଇରାଲ୍ ହୋଇଛି । ଏହି ଅଡିଓ କ୍ଲିପ୍ ଶୁଣିଲେ ଗୋଟିଏ କଥା ଜଣାପଡ଼ୁଛି ଯେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇଆଇସି ଦେବ କୁମାର ଗମାଙ୍ଗଙ୍କୁ ଛୁଟିରେ ଯିବା ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି । ପୋଲିସ୍ କହିବା ପାଇଁ ଚାହୁଁଛି, ଯେହେତୁ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା, ସେଥିପାଇଁ ତାଙ୍କର ଚିକିତ୍ସା ଆବଶ୍ୟକ । ତାଙ୍କ ପତ୍ନୀଙ୍କୁ ମଧ୍ୟ ଏସଡିପିଓ ଏହି ଅଡିଓ କ୍ଲିପରେ କହିଛନ୍ତି, ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ । ତାଙ୍କ ମାଆଙ୍କ ସହ କଥା ହୋଇ ମଧ୍ୟ ଏସଡିପିଓ ପରାମର୍ଶ ଦେଇଛନ୍ତି ଯେ ତାଙ୍କୁ ଘରକୁ ନେଇଯାଆନ୍ତୁ ।

ସବୁ ଅଡିଓ କ୍ଲିପ୍ ଶୁଣିଲେ ଆପଣ ଗୋଟିଏ ନିଷ୍କର୍ସରେ ପହଞ୍ଚିବେ ଯେ ଏସଡିପିଓ ଅତ୍ୟନ୍ତ ଚିନ୍ତିତ ଅଛନ୍ତି ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ । କିନ୍ତୁ ଏ ଭାଇରାଲ୍ ଅଡିଓର ସତ କ’ଣ, ତାହା ଜଣାପଡ଼ୁନାହିଁ । ପୋଲିସ୍ ସିଧାସଳଖ ଏ ଅଡିଓ କ୍ଲିପ୍ ଦେଉନାହିଁ ଏବଂ ଏହା କେବେ ରେକର୍ଡ ହୋଇଛି, ତା’ର ମଧ୍ୟ କୌଣସି ପ୍ରମାଣ ନାହିଁ । ଆଉ ଦେବ କୁମାର ଗମାଙ୍ଗଙ୍କ ସହ ମଧ୍ୟ କଥାବାର୍ତାର ଅଡିଓ କ୍ଲିପ୍ ରହିଛି, ଯେଉଁଥିରେ ଦେବ କୁମାର ସାର୍, ସାର୍ ବୋଲି ଦୁଇପଦ କହିଛନ୍ତି । କିନ୍ତୁ ସେ ଫୋନରେ ସେ ଅଡିଓ କାହାର, ତାହା ବି ସ୍ପଷ୍ଟ ନୁହେଁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts