ଗାନ୍ଧି ପରିବାର କଂଗ୍ରେସର ସବୁଠାରୁ ବଡ଼ ସମ୍ପତ୍ତି, କୌଣସି ଅଧ୍ୟକ୍ଷ ସେମାନଙ୍କଠାରୁ ଦୂରେଇ ପାରିବେ ନାହିଁ: ଶଶୀ ଥରୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ତଥା ଦଳର ସାଂସଦ ଶଶି ଥରୁର ବୁଧବାର ନିଜର ପ୍ରଚାର ପାଇଁ ଗୁଜୁରାଟରେ ପହଞ୍ଚିଥିଲେ। ଏହି ଗସ୍ତ ଅବସରରେ ସେ କହିଛନ୍ତି ଯେ, ଗାନ୍ଧି ପରିବାର କଂଗ୍ରେସ ପାଇଁ ସବୁଠାରୁ ବଡ଼ ସମ୍ପତ୍ତି ଓ କୌଣସି ଅଧ୍ୟକ୍ଷ ସେମାନଙ୍କଠାରୁ ନିଜକୁ ଦୂରେଇ ପାରିବେ ନାହିଁ।ସେ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନକୁ ସାହସ ଓ ଆତ୍ମବିଶ୍ୱାସ ସହ ଲଢ଼ିବା ପାଇଁ ଦଳର ଅଧ୍ୟକ୍ଷଙ୍କ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଦଳର ଅଧ୍ୟକ୍ଷ ନିର୍ବାଚନରେ ଗୋପନୀୟତା ଅବଲମ୍ବନ ନେଇ ଥରୁର କହିଛନ୍ତି ଯେ, କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ (ସିଏଏ) ସଭାପତି ମଧୁସୂଦନ ମିସ୍ତ୍ରୀ ଘୋଷଣା କରିଥିବା ନିର୍ବାଚନ ବ୍ୟବସ୍ଥା ବହୁତ ଭଲ। ସେ ଗୁପ୍ତ ମତଦାନ ବିଷୟରେ କହିଥିଲେ। ଗୁପ୍ତରେ ମତଦାନ କରାଯିବ ଓ କାହାକୁ ଭୋଟ୍ ଦେଇଛନ୍ତି ତାହା କେହି ଜାଣିପାରିବେ ନାହିଁ। ଲୋକମାନେ ନିଜ ଇଚ୍ଛା ଅନୁଯାୟୀ ଭୋଟ୍ କରିପାରିବେ। ଜଣେ ବ୍ୟକ୍ତି ଯାହାକୁ ପସନ୍ଦ କରନ୍ତି କିମ୍ବା ପସନ୍ଦ କରନ୍ତି ନାହିଁ, ତାହା ଭୋଟ୍ ଦେବାର ଅଧିକାର। ଭୋଟ୍ ବ୍ୟବସ୍ଥା ସମ୍ବନ୍ଧୀୟ ନିଷ୍ପତ୍ତି ସର୍ବସାଧାରଣରେ ଘୋଷଣା କରି ଆମ ଦଳ ଏକ ଭଲ କାମ କରିଛି। ଯିଏ ଜିତିବ, ଏହା କଂଗ୍ରେସର ବିଜୟ ହେବ। ସେଥିପାଇଁ ମୁଁ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ବୋଲି କହିଛନ୍ତି ଥରୁର।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଦଳର ସାଂସଦ ଶଶି ଥରୁର ପ୍ରତିଦ୍ବନ୍ଦିତା କରୁଛନ୍ତି। ଏହି ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଥିବା ବେଳେ ଏବେ ଉଭୟ ପ୍ରାର୍ଥୀ ନିଜ ନିଜ ପ୍ରଚାର କରୁଛନ୍ତି। ତେବେ ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମତଦାନ ହେବ ଓ ଅକ୍ଟୋବର ୧୯ ରେ ଭୋଟ୍ ଗଣନା କରାଯିବା ପରେ ଫଳ ପ୍ରକାଶ ପାଇବ। ତେବେ ଦୀର୍ଘ ବର୍ଷ ପରେ ଦଳକୁ ଜଣେ ଅଣଗାନ୍ଧୀ ଅଧ୍ୟକ୍ଷ ମିଳିବାକୁ ଯାଉଛି।

Related Posts