ଗଜପତି ନୀତିକାନ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ କହିପାରିବେ କିନ୍ତୁ ମନ୍ଦିର ସୁରକ୍ଷିତ ଅଛି ନା ନାହିଁ ତାହା ଏଏସଆଇ କହିବ: ବିଜୟ ମହାପାତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟର ରାଜନୀତି ବେଶ ସରଗରମ ହୋଇ ଉଠିଛି । ଗତକାଲି ଗଜପତି ମହାରାଜ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବଡ଼ ବୟାନ ଦେଇଥିଲେ । ତେବେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଅଛି । ତେଣୁ ସରକାରଙ୍କୁ କାମ କରିବାକୁ ଦିଅନ୍ତୁ ବୋଲି ଗଜପତି ମହାରାଜ କହିଥିଲେ । ଏହା ମଧ୍ୟରେ ଗଜପତି ମହରାଜଙ୍କ ଦ୍ବାରା ଦିଆଯାଇଥିବା ବୟାନ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ମନ୍ଦିର ସୁରକ୍ଷିତ ଅଛି କି ନାହିଁ ତାହା ଗଜପତି କେମିତି କହିବେ? ଗଜପତି ନୀତିକାନ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ କହିପାରିବେ । ମନ୍ଦିର ସୁରକ୍ଷିତ ଅଛି କି ନାହିଁ ତାହା ଏଏସଆଇ କହିବ, ଏନେଇ ଆଇନରେ ବ୍ୟବସ୍ଥା ଅଛି ।

ଗଜପତି କଣ ଅଧିକୃତ ଅଧିକାରୀ କି? ବୋଲି ବିଜୟ ମହାପାତ୍ର କହିଛନ୍ତି । ଅନ୍ୟପଟେ ବିଜୟ ମହାପାତ୍ରଙ୍କ ବ୍ୟତୀତ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ଟିପ୍ପଣୀ ଦେଇଛନ୍ତି। ଶ୍ରୀ ପାତ୍ର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଲେଖିଛନ୍ତି ଯେ, ରାଜନୀତି ନକରି ଏଏସଆଇ କ’ଣ କହୁଛି, ତା’ ପାଇଁ ଅପେକ୍ଷା କରିବା ଦରକାର । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପର୍ୟ୍ୟନ୍ତ ନିର୍ମାଣ କାର୍ୟ୍ୟ ବନ୍ଦ ରହୁ । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର । ଭକ୍ତଙ୍କ ବିକାଶ ଓ ସୁବିଧା ପାଇଁ ବିଜେପି ସର୍ବଦା ଚିନ୍ତା କରିଆସିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts