ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସମ୍ବିଧାନକୁ ନେଇ ଭାଷଣ ଦେଲାବେଳେ ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ଦେଶ ପାଇଁ ୨୫, ୫୦ ଏବଂ ୭୫ ବର୍ଷର ବଡ ମହତ୍ତ୍ୱ ରହିଛି। କିନ୍ତୁ ଯେତେବେଳେ ଦେଶ ସ୍ୱାଧୀନତାର ୨୫ ବର୍ଷ ପୂରଣ କଲା, ସେତେବେଳେ ଆମ ଦେଶରେ ସମ୍ବିଧାନକୁ କୁଠାରଘାତ କରାଯାଇଥିଲା। ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ।
କଂଗ୍ରେସର ଗୋଟିଏ ପରିବାର ଦେଶର ସମ୍ୱିଧାନକୁ ବାରମ୍ୱାର ଆଘାତ ଦେଇଛି । କଂଗ୍ରେସର ନେହରୁ-ଗାନ୍ଧୀ ପରିବାରକୁ ନିଶାଣ କରି ସେ କହିଛନ୍ତି ଯେ ଗୋଟିଏ ପରିବାର ସମ୍ୱିଧାନକୁ ଆଘାତ ପହଞ୍ଚାଇବାରେ କୌଣସି ସୁଯୋଗ ହାତଛଡ଼ା କରିନି ।
୧୯୫୧ରେ ବାକ୍ ସ୍ୱାଧୀନତା ଉପରେ ଆକ୍ରମଣ କରିଛି କଂଗ୍ରେସ: ପିଏମ୍ ମୋଦୀ
ପିଏମ୍ ମୋଦୀ କହିଛନ୍ତି, ‘ଏହି ପରିବାରର କୁବିଚାର, କୁନୀତି ପରମ୍ପରା ଲଗାତାର ଚାଲିଛି । ସବୁ ସ୍ତରରେ ଏହି ପରିବାର ସମ୍ୱିଧାନକୁ ଚ୍ୟାଲେଞ୍ଜ କରିଛି । ୧୯୪୭ରୁ ୧୯୫୨ ଯାଏ ଦେଶରେ ନିର୍ବାଚିତ ସରକାର ନଥିଲା । ଅସ୍ଥାୟୀ ବ୍ୟବସ୍ଥା ଥିଲା ଏବଂ ନିର୍ବାଚନ ହୋଇନଥିଲା । ୧୯୫୩ ପୂର୍ବରୁ ରାଜ୍ୟସଭା ଗଠନ ହୋଇନଥିଲା ଏବଂ ଜନତାଙ୍କ କୌଣସି ମତ ନଥିଲା । କିନ୍ତୁ ଏହା ସତ୍ତ୍ୱେ ୧୯୫୧ରେ ଅଧ୍ୟାଦେଶ ଆଣି ସମ୍ୱିଧାନକୁ ବଦଳାଗଲା ଏବଂ ଲୋକଙ୍କ ବାକ୍ ସ୍ୱାଧୀନତା ଉପରେ ଆକ୍ରମଣ କରାଗଲା । ଏହା ସମ୍ୱିଧାନ ନିର୍ମାତାଙ୍କ ଅପମାନ ଥିଲା । ୧୯୫୧ରେ କଂଗ୍ରେସ ଏହି ପାପ କରିଥିଲା । ସେତେବେଳେ ଏହା ଭୁଲ ହେଉଛି ବୋଲି ରାଷ୍ଟ୍ରପତି କହିଥିଲେ । ବାଚସ୍ପତି ଜେପି ନାରାୟଣଙ୍କ ପରି ମହାନ ବ୍ୟକ୍ତି ଏପରି ନକରିବା ପାଇଁ ଅପିଲ୍ କରିଥିଲେ, କିନ୍ତୁ ନେହରୁଙ୍କ ନିଜର ସମ୍ୱିଧାନ ଚାଲିଥିଲା, ଏଥିପାଇଁ କାହାରି ପରାମର୍ଶ ଶୁଣିନଥିଲେ ।’
ଏମର୍ଜେନ୍ସି ସମୟରେ ଇନ୍ଦିରା ଗାନ୍ଧୀ ଗଣତନ୍ତ୍ରର ତଣ୍ଟି ଚିପିଥିଲେ: ମୋଦୀ
ପିଏମ୍ ମୋଦୀ କହିଛନ୍ତି, ‘ଯେତେବେଳେ ଅସାମ୍ୱିଧାନିକ ପ୍ରକ୍ରିୟାରେ ନିର୍ବାଚନ ଲଢିବା କାରଣରୁ କୋର୍ଟ ଇନ୍ଦିରା ଗାନ୍ଧୀଙ୍କ ବିଜୟକୁ ରଦ୍ଦ କରିଥିଲେ, ସେତେବେଳେ ନିଜ ଚୌକି ବଞ୍ଚାଇବା ପାଇଁ ଏମର୍ଜେନ୍ସି ଲାଗୁ କରିଥିଲେ । ସେ ଭାରତର ଗଣତନ୍ତ୍ରର ତଣ୍ଟି ଚିପିବାର କାମ କରିଥିଲେ । ଏର୍ମଜେନ୍ସି ସମୟରେ ଦେଶବାସୀଙ୍କ ଅଧିକାର ଛଡ଼ାଇ ନିଆଯାଇଥିଲା ।’
ସାହବାନୋ କେସରେ ରାଜୀବ ଗାନ୍ଧୀଙ୍କୁ ଟାର୍ଗେଟ୍
ପିଏମ୍ ମୋଦୀ କହିଛନ୍ତି, ‘ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ସମସ୍ତଙ୍କୁ ସମାନତା ଏବଂ ସଭିଙ୍କୁ ନ୍ୟାୟର ଭାବନାକୁ ଆଘାତ ପହଞ୍ଚାଇଲେ । ସୁପ୍ରିମକୋର୍ଟ ସାହବାନୋ ମାମଲାରେ ରାୟ ଦେଇଥିଲେ । କୋର୍ଟରୁ ମହିଳାଙ୍କୁ ଏକ ହକ୍ ମିଳିଥିଲା । କିନ୍ତୁ ରାଜୀବ ଗାନ୍ଧୀ କୋର୍ଟଙ୍କ ସେହି ଭାବନାକୁ ଅଣଦେଖା କଲେ । ଭୋଟ୍ ବ୍ୟାଙ୍କ ରାଜନୀତି ଆଗରେ କୋର୍ଟଙ୍କ ସେହି ଭାବନାର ଅପମାନ କଲେ ଏବଂ କଟ୍ଟରପନ୍ଥୀଙ୍କ ସହ ରହିଲେ । ସଂସଦରେ ଆଇନ ଆଣି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପୁଣି ଥରେ ବଦଲାଗଲା ।’
ନାଁ ନନେଇ ରାହୁଲଙ୍କୁ ଟାର୍ଗେଟ୍
ପିଏମ୍ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, ‘ଦେଶର ଜନତା ସରକାର ବାଛନ୍ତି । କ୍ୟାବିନେଟ୍ ନିଷ୍ପତ୍ତି ନିଏ । କିନ୍ତୁ ଏମାନେ ମିଡିଆର କ୍ୟାମେରା ସାମନାରେ କ୍ୟାବିନେଟ୍ ନିଷ୍ପତ୍ତିକୁ ଚିରି ଦେଲେ । ଜଣେ ଅହଂକାରୀ ବ୍ୟକ୍ତି କ୍ୟାବିନେଟ୍ ନିଷ୍ପତ୍ତିକୁ ଚିରି ଦେବ ଏବଂ କ୍ୟାବିନେଟ୍ ନିଜ ନିଷ୍ପତ୍ତିକୁ ବଦଳାଇ ହେବ, ଏହା କି ବ୍ୟବସ୍ଥା ? ମୁଁ ଯାହା କହୁଛି ସମ୍ୱିଧାନର କଥା କହୁଛି । ମୁଁ ନିଜ ମନର ବିଚାରକୁ ବ୍ୟକ୍ତ କରେ ନାହିଁ । କଂଗ୍ରେସ ନିରନ୍ତର ଭାବେ ସମ୍ୱିଧାନର ଅବମାନନା କରିଛି । ସମ୍ୱିଧାନ ସହ ବିଶ୍ୱାସଘାତକତା କରିଛି ।’