ଦାର୍ଜିଲିଂରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍; ୫ ମୃତ

ଭୁବନେଶ୍ୱର,୧୭/୬(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ଘଟିଛି ଏକ ବଡ଼ ଟ୍ରେନ୍ ଦୁର୍ଘଟଣା। ଏଠାରେ ଟ୍ରାକ୍ ଉପରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୦ ଜଣ ଆହତ ହୋଇଥିବା କୁହାଯାଉଛି। ଜଳପାଇଗୁଡି ନିକଟରେ ଏହି ଦୁର୍ଘଟଣା ହୋଇଛି। କାଞ୍ଚନଜଙ୍ଗା ଏକ୍ସପ୍ରେସ କୋଲକାତାରୁ ସିଆଲଦା ଯାଉଥିଲା। ତେବେ ଏବେ ସେଠୀ ଉଦ୍ଧାର କାର୍ଯ୍ୟ ଜାରିରହିଛି।

ଏତିକି ବେଳେ ଦ୍ରୁତ ଗତିରେ ଆସି ମାଲବାହୀ ଗାଡି ଟ୍ରାକ୍ରେ ଠିଆ ହୋଇଥିବା ଏକ୍ସପ୍ରେସ୍ ଟ୍ରେନ୍କୁ ପଛପଟୁ ଧକ୍କା ଦେଇଛି। ଏଥିରେ ଦୁଇଟି ପାସେଞ୍ଜର ଓ ଗୋଟିଏ ପାର୍ସଲ ବଗି ଭୟଙ୍କର ରୂପେ କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ସମସ୍ତ ସରକାରୀ ଓ ପ୍ରାଇଭେଟ୍ ହସ୍ପିଟାଲକୁ ଆଲର୍ଟ କରାଯାଇଛି। 

ସୂଚନା ମୁତାବକ, ମାଲବାହୀ ଟ୍ରେନ୍ଟି ସିଗନାଲ୍ ଅତିକ୍ରମ କରି କାଞ୍ଚନଜଙ୍ଗା ଟ୍ରେନର ପଛ ଭାଗ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରେନ୍ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ, ଡିଭିଜନାଲ ଟିମ୍ ଏବଂ ୧୫ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି। ସେପଟେ ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଃଖ ପ୍ରକାଶ କରିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦାର୍ଜିଲିଂ ଜିଲ୍ଲାର ଫନସେଓ୍ଵା ଅଞ୍ଚଳରେ ଏକ ଦୁଃଖଦ ଟ୍ରେନ୍ ଦୁର୍ଘଟଣା ବିଷୟରେ ଜାଣି ମୁଁ ସ୍ତବ୍ଧ ବୋଲି ସେ ଲେଖିଛନ୍ତି। ସପେଟେ ଘଟଣାସ୍ଥଳରେ ଡିଏମ୍, ଏସ୍ପି, ଡାକ୍ତର, ଆମ୍ବୁଲାନ୍ସ ଓ ବିପର୍ଯ୍ୟୟ ଟିମ୍ ପହଞ୍ଚି ରିଲିଫ, ଉଦ୍ଧାର, ଚିକିତ୍ସା ସହାୟତା ଲୋଡ଼ିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଟ୍ରେନ୍ ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ‘ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ‘NDRF, SDRF ଓ ରେଲୱେର ସମନ୍ୱୟରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତୁରନ୍ତ ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି ବୋଲି ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି କହିଛନ୍ତି।

ଅନ୍ୟପଟେ ଲୋକଙ୍କ ସହାୟତା ପାଇଁ ରେଲୱେ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।

୦୩୩-୨୩୫୦୮୭୯୪, ୦୩୩-୨୩୮୩୩୩୨୬

୦୩୬୧୨୭୩୧୬୨୧, ୦୩୬୧୨୭୩୧୬୨୨, ୦୩୬୧୨୭୩୧୬୨୩

୦୩୬୭୪୨୬୩୯୫୮,୦୩୬୭୪୨୬୩୮୩୧, ୦୩୬୭୪୨୬୩୧୨୦

Related Posts