(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଆଉ କିଛି ସିଭିଲ୍ ଜଜ୍ କୋର୍ଟର ଉଦଘାଟନ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର ବୁଧବାର ଦିନ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟରେ କେତେକ ସିଭିଲ ଜଜ କୋର୍ଟ (ଜେଏଫ୍ଏମ୍ସି)ର ଉଦ୍ଘାଟନ କରିଛନ୍ତି । ଉଦଘାଟିତ ହୋଇଥିବା ନୂତନ କୋର୍ଟଗୁଡ଼ିକ କେଉଁଝର ଜିଲ୍ଲାର ତେଲକୋଇ, ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡ଼ା ଏବଂ ଯଶିପୁର ଓ ନବରଙ୍ଗପୁର ଜିଲ୍ଲାର ଝରିଗାଁଠାରେ କାର୍ଯ୍ୟ କରିବ ।
ସୂଚନାଯୋଗ୍ୟ ଯେ, ଏହି ଉଦ୍ଘାଟନୀ ଉତ୍ସବରେ ହାଇକୋର୍ଟ ବିଚାରପତି ମାନ୍ୟବର ଜଷ୍ଟିସ୍ ଏସ୍. ପୂଜାହାରୀ, ମାନ୍ୟବର ଜଷ୍ଟିସ୍ କେ. ଆର୍. ମହାପାତ୍ର, ମାନ୍ୟବର ଜଷ୍ଟିସ ବି.ପି. ରାଉତରାୟ, ମାନ୍ୟବର ଜଷ୍ଟିସ ଏସ୍.କେ. ପାଣିଗ୍ରାହୀ ଏବଂ ସଂପୃକ୍ତ ଜିଲ୍ଲାର ପ୍ରଶାସନିକ ବିଚାରପତିମାନେ ମଧ୍ୟ ଉପସ୍ଥିତ ରହିଥିଲେ ।
ହାଇକୋର୍ଟର ମାନ୍ୟବର ଜଷ୍ଟିସ୍ ବି.ଆର୍ ଷଡ଼ଙ୍ଗୀ, ମାନ୍ୟବର ଜଷ୍ଟିସ୍ ଏସ୍.କେ. ସାହୁ ଏବଂ ମାନ୍ୟବର ଜଷ୍ଟିସ୍ ସାବିତ୍ରୀ ରଥ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ମତାମତ ରଖିଥିଲେ ।