ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜନବିରୋଧୀ କହି ଦଳରୁ କାଢିଥିଲେ ଏବେ ନିଲମ୍ବନ ହଟାଇଲେ | ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପରୁ ନିଲମ୍ବନ ହଟାଇଲା ବିଜେଡି | ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ସୁଧାଂଶୁଙ୍କ ଉପରୁ ନିଲମ୍ବନ ହଟାଇ ଦେଇଛନ୍ତି |
ତେବେ 2023 ସେପ୍ଟେମ୍ବର 21 ତାରିଖରେ ଖଣ୍ଡପଡ଼ାର ତତ୍କାଳୀନ ବିଧାୟକ ସୌମ୍ୟରଂଜନ ପଟ୍ଟନୟକ ଓ ରେମୁଣାର ତତ୍କାଳୀନ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦଳରୁ ନିଲମ୍ବନ କରିଥିଲେ ନବୀନ | ସେତେବେଳେ ସୁଧାଂଶୁଙ୍କୁ ଜନବିରୋଧୀ କହି ଦଳରୁ ନିଲମ୍ବନ କରାଯାଇଥିଲା | ସୁଧାଂଶୁଙ୍କ ନାଁରେ ଚାଷୀଙ୍କ ସବସିଡି ଅର୍ଥ ହଡପ ଅଭିଯୋଗ ଆସିଥିଲା |
ତେବେ ଦଳରୁ ନିଲମ୍ବିତ ହୋଇ ମଧ୍ୟ ସୁଧାଂଶୁ ଅନ୍ୟ ଦଳକୁ ଯାଇ ନଥିଲେ, ବରଂ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା | ତେଣୁ କେବଳ ନାଁକୁ ଦଳ ତାଙ୍କ ଉପରେ ନିଲମ୍ବନ ଆଦେଶ ଜାରି କରିଛି ବୋଲି ଚର୍ଚ୍ଚା ହେଉଥିଲା | ଆଜି ସେହି ନିଲମ୍ବନ ଆଦେଶକୁ ବି ବିଜେଡି ହଟାଇ ଦେଇଛି |