ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମନମୋହନ ସିଂହ । ତେବେ ଆଜି ସନ୍ଧ୍ୟାରେ ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ଏମ୍‌ସର ଜରୁରୀକାଳୀନ ୱାର୍ଡରେ ମନମୋହନ ସିଂହ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରୀ ଟିମର ସବୁ ଚେଷ୍ଟା ସତ୍ତ୍ୱେ ଶ୍ରୀ ସିଂହ ଆଖି ବୁଜି ଛନ୍ତି |

୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ ମନମୋହନ ସିଂହ । ସେ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଲୋକସଭାକୁ ନିର୍ବାଚିତ ନହୋଇ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ। ଚଳିତ ବର୍ଷ ଏପ୍ରିଲରେ ସେ ରାଜ୍ୟସଭାରୁ ଅବସର ନେଇଥିଲେ।

ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ସେ ୧୯୫୭ ମସିହାରେ ଅର୍ଥଶାସ୍ତ୍ରରେ ଡିଗ୍ରୀ ହାସଲ କରିଥିଲେ। ୧୯୭୧ ମସିହାରେ ସେ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ। ଏହାପରେ ଅର୍ଥାତ ୧୯୭୨ ମସିହାରେ ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା।

୧୯୯୧ ମସିହାରେ ଭାରତ ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ସେତେବେଳେ ପ୍ରଧାନମନ୍ତ୍ରୀ ନରସିଂହ ରାଓ ସମସ୍ତଙ୍କୁ ଚକିତ କରି ମନମୋହନ ସିଂହଙ୍କୁ ନିଜ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ ବନାଇଥିଲେ। କଡ଼ା ବିରୋଧ ସତ୍ତ୍ୱେ ସେ ଅର୍ଥମନ୍ତ୍ରୀ ଭାବେ ଭାରତର ଅର୍ଥ ବ୍ୟବସ୍ଥାର ଢାଞ୍ଛାଗତ ସୁଧାର ପାଇଁ କଠୋର ବ୍ୟବସ୍ଥା କରିଥିଲେ।
ଏହି କାରଣରୁ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ପଡ଼ିଥିବା ସଙ୍କଟ ଟଳି ଯାଇଥିଲା। ତାଙ୍କୁ ଏହାପରେ ବିଶ୍ୱ ଦରବାରରେ ଜଣେ ମହାନ ଅର୍ଥ ଶାସ୍ତ୍ରୀ ଭାବେ ଗଣତି କରାଯାଇଥିଲେ। ୨୦୦୪ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କ୍ଷମତାକୁ ଆସିବା ପରେ ସେ ୨୦୦୪ ମେ ୨୨ ତାରିଖରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୦୯ରେ ମଧ୍ୟ ସେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ମନମୋହନ ସିଂଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି |

Related Posts