ବଢ଼ିଲା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ୍‌ଙ୍କ ଅଡ଼ୁଆ; ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି। ଆର୍ଥିକ ହେର୍‌ଫେର୍‌ ମାମଲାରେ ଅଭିଯୁକ୍ତ ଥିବା ଅନୀଲଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଝଟକା । କୋର୍ଟ ତାଙ୍କ ଆବେଦନ ଖାରଜ୍ କରିଦେଇଛନ୍ତି। ଉକ୍ତ ମାମଲାରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନକରିବା ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଖାରଜ୍ କରିବା ସହିତ କହିଛନ୍ତି ଆଇନ୍‌ ଅନୁସାରେ ହିଁ ଆଇନଗତ ଉପାୟ କରାଯାଇପାରିବ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୀଲଙ୍କ ବିରୋଧରେ ଆର୍ଥିକ ହେର୍‌ଫେର୍‌ ନେଇ ବିଭିନ୍ନ ଧାରାରେ ଅପରାଧିକ ମାମଲା ଦାୟର କରିଛି। ଏହି ମାମଲାରେ କୌଣସି ବି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନାଯାଉ ବୋଲି ଅନୀଲ ଦେଶମୁଖ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।

ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଅଭିଯୋଗ କରିଥିଲେ ଯେ ଗୃହ ମନ୍ତ୍ରୀ ପଦରେ ଥାଇ ଅନୀଲ ଦେଶମୁଖ ବଟି ଆଦାୟ କରୁଥିଲେ। ମହାରାଷ୍ଟ୍ରରେ ପୁଲିସ ପ୍ରତିଷ୍ଠାନରେ ୧୦୦ କୋଟି ଟଙ୍କାର ଲାଞ୍ଚ ନେବା ସହିତ ଜବରଦସ୍ତି ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୀଲଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଥିଲେ। ଏହି ଘଟଣା ପରେ ଏପ୍ରିଲ ମାସରେ ଅନୀଲ ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ସୂଚନାଯୋଗ୍ୟ, ଦେଶମୁଖଙ୍କ ବ୍ୟତୀତ ତାଙ୍କ ପୁଅ ଏବଂ ପତ୍ନୀଙ୍କୁ ମଧ୍ୟ ଏହି ମାମଲାରେ ଛନ୍ଦି ହୋଇଛନ୍ତି। ଅପରପକ୍ଷରେ ଅନୀଲ ଦେଶମୁଖଙ୍କ ଘର ଓ ଅଫିସ ଉପରେ ରେଡ୍ କରି ଇଡି ୪.୨୦ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି।

Related Posts