ଇଛା ଆଗରେ ଫେଲ ମାରିଲା ବୟସ: ୮୭ ବର୍ଷ ବୟସରେ ଦ୍ୱାଦଶ ଶ୍ରେଣୀ ପାସ କଲେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଚର୍ଚ୍ଚାରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା ୮୭ ବର୍ଷ ବୟସରେ ଦ୍ୱାଦଶ ଶ୍ରେଣୀ ପାସ କରିଛନ୍ତି । ସେହିପରି ତାଙ୍କୁ ଏକଥରକେ ହରିଆଣା ବୋର୍ଡ ତରଫରୁ ଉଭୟ ୧୦ ଓ ଦ୍ୱାଦଶ ଶ୍ରେଣୀର ମାର୍କଶିଟ୍‌ ମଧ୍ୟ ଦିଆଯାଇଛି।

ସୋମବାର ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳର ସୁପ୍ରିମୋ ଶ୍ରୀ ଚୌତାଲା ବୀର ଶିରୋମଣି ମହାରାଣା ପ୍ରତାପଙ୍କ ୪୨୮ତମ ଜନ୍ମ ବାର୍ଷିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ। ଏହି ସମୟରେ ହରିଆଣା ଶିକ୍ଷା ବୋର୍ଡର ଅଧିକାରୀମାନେ ଭିୱାନରେ ପହଞ୍ଚିଥିଲେ। ସେମାନେ ଶ୍ରୀ ଚୌତାଲାଙ୍କ ପାଖକୁ ଯାଇ ବେଶ ସମ୍ମାନର ସହ ତାଙ୍କୁ ଉଭୟ ୧୦ମ ଓ ଦ୍ୱାଦଶ ଶ୍ରେଣୀର ମାର୍କଶିଟ୍‌ ହସ୍ତାନ୍ତର କରିଥିଲେ।

ସେ ଗତବର୍ଷ ୧୦ମର ଇଂରାଜୀ ବିଷୟର ପରୀକ୍ଷା ଦେଇଥିଲେ। ଏଥିରେ ସେ ୧୦୦ରୁ ୮୦ ମାର୍କ ରଖିଛନ୍ତି। ୨୦୨୧ରେ ଶ୍ରୀ ଚୌତାଲା ହରିଆଣା ଓପନ ବୋର୍ଡ ଅଧୀନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ତେବେ ତାଙ୍କ ରେଜଲ୍ଟକୁ ଅଗଷ୍ଟ ୫ରେ ସ୍ଥଗିତ କରି ରଖାଯାଇଥିଲା। ସେ ୧୦ମ ଶ୍ରେଣୀର ଇଂରାଜୀ ବିଷୟରେ ପାସ୍‌ କରି ନଥିବାରୁ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ସାର୍ବଜନୀନ କରାଯାଇ ନଥିଲା। ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଜାଣିବା ପାଇଁ ଶ୍ରୀ ଚୌତାଲା ପୁଣିଥରେ ୧୦ମ ଶ୍ରେଣୀର ଇଂରାଜୀ ପରୀକ୍ଷା ଦେଇଥିଲେ। ଏହାପରେ ହିଁ ଉଭୟ ଶ୍ରେଣୀରେ ପାସ୍‌ କରିଥିବା ପ୍ରମାଣପତ୍ର ପାଇଛନ୍ତି।

୨୦୧୯ରେ ସେ ୧୦ମ ପରୀକ୍ଷା ଦେଇଥିଲେ। ହେଲେ ସେହି ସମୟରେ ସେ ଇଂରାଜୀ ବିଷୟରେ ପରୀକ୍ଷା ଦେଇ ପାରି ନଥିଲେ।

Related Posts