ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ: ଜଣେ ଜେଲ ୱାର୍ଡର ନିଲମ୍ବିତ

ଭୁବନେଶ୍ୱର,୨୧/୧୨(ସତ୍ୟପାଠ ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ହୋଇଛି ପ୍ରଥମ କାର୍ଯ୍ୟାନୁଷ୍ଠାନ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଜେଲର ଜଣେ ଜେଲ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ନାମ ଅକ୍ଷୟ କୁମାର ମହାନ୍ତି। ସମ୍ବଲପୁର ରେଞ୍ଜ୍ ଜେଲ୍ ଡିଆଇଜି ଏହି ସୂଚନା ଦେଇଛନ୍ତି।କାର୍ଯ୍ୟରେ ଅବହେଳା ପାଇଁ ୱାର୍ଡର ଅକ୍ଷୟ କୁମାର ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି।

ଅନ୍ୟପକ୍ଷରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ପୁଲିସ୍ ଡିଜି ସୁନୀଲ କୁମାର ବଂଶଲ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଜୟ ମଲିକଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ଗଠନ କରାଯାଇଛି। ସେହିପରି ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆରସି) ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜେଲ୍ ଡିଜି ଏବଂ ବଲାଙ୍ଗିର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଆଜି ସକାଳୁ ଗୋବିନ୍ଦ ସାହୁଙ୍କ ଶବ ବ୍ୟବଚ୍ଛେଦ ଆରମ୍ଭ ହୋଇଛି। ବୁର୍ଲା ମେଡିକାଲ କଲେଜର ଏଫ୍‌ଏମ୍‌ଟି ବିଭାଗର ୨ ବିଶେଷଜ୍ଞ ଡାକ୍ତର ତାଙ୍କର ଶବ ବ୍ୟବଚ୍ଛେଦ କରିବେ। ଶବ ବ୍ୟବଚ୍ଛେଦ ବେଳେ ଭିଡିଓ ରେକର୍ଡିଂ କରାଯିବା ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୯ଟା ବେଳେ କଣ୍ଟାବାଞ୍ଜି ଜେଲ୍ ପରିସରରେ ଥିବା ଏକ ଗଛରେ ଗୋବିନ୍ଦ ଝୁଲିପଡ଼ିଥିବା ଜେଲ୍ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଗାମୁଛାରେ ତାଙ୍କ ବେକ ବନ୍ଧା ଯାଇଥିଲା। ଜେଲ୍‌ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବା ବେଳେ ଏହାକୁ ତାଙ୍କ ପତ୍ନୀ ଓ ବିରୋଧୀ ଦଳ ଗୁଡ଼ିକ ଗ୍ରହଣ କରିପାରି ନାହାନ୍ତି। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ବିଜେପି ଓ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ମମିତା ମେହେର ହତ୍ୟା ମାମଲାରେ ପୂର୍ବତନ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବଞ୍ଚାଇବାକୁ ଗୋବିନ୍ଦଙ୍କୁ ହତ୍ୟା କରାଯାଇଥାଇପାରେ। ଏହାର ତଦନ୍ତ ହେବା ଆବଶ୍ୟକ। ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପତ୍ନୀ କେ.ଗାଁ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ନ୍ୟାୟ ମାଗିଛନ୍ତି।

Related Posts