ଭୁବନେଶ୍ବର ୟୁନିଟ୍-୧ ହାଟ ନିକଟରେ ଅଗ୍ନିକାଣ୍ଡ : ପୋଡି଼ଗଲା ୭ ଦୋକାନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମଙ୍ଗଳବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ଵର ସ୍ଥିତ ୟୁନିଟ୍-୧ ହାଟକଡ଼ରେ ଥିବା ଦୋକାନଗୁଡ଼ିକରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ମୁତାବକ ବିସ୍କୁଟ, ମିକ୍ସଚର, ଇଲେକ୍ଟ୍ରି ଦୋକାନରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ୭ଟି ଦୋକାନ ପୋଡ଼ି ଯାଇଥିବା ବେଳେ ଦୁଇଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ତେବେ ସବୁଠାରୁ ଆଶ୍ବସ୍ତି ଜନକ କଥା ହେଉଛି , ଅଗ୍ନିକାଣ୍ଡ ଘଟିଥିବା ଦୋକାନ ଗୁଡ଼ିକ ନିକଟରେ ଥିବା ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପ ଅଳ୍ପକେ ବର୍ତ୍ତି ଯାଇଛି।

ଏହି ଖବର ପାଇ କଳ୍ପନା ଓ ଲୋକସେବା ଭବନ ଅଗ୍ନିଶମ କେନ୍ଦ୍ରର ୪ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ଦେଢ଼ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ସର୍ଟ ସର୍କିଟ୍ ନା ଆଉ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ମିଳିଥିବା ସୂଚନା ମୁତାବକ , ମଙ୍ଗଳବାର ରାତି ପ୍ରାୟ ୧୦ଟା ୪୫ରେ ଦୋକାନରେ ନିଆଁ ଲାଗି ପ୍ରଥମେ ପ୍ରବଳ ଧୂଆଁ ବାହାରିଥିଲା। ପରେ ପରେ ଜୋରରେ ଜଳିଥିଲା। ତେବେ ନିଆଁ ଦେଖି ସ୍ଥାନୀୟ ଲୋକ ଅଗ୍ନଶମ କେନ୍ଦ୍ରକୁ ଖବର ଦେଇଥିଲେ। ତୁରନ୍ତ କଳ୍ପନା ଅଗ୍ନିଶମ କେନ୍ଦ୍ରର ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚିଥିଲା। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପ୍ରବଳ ଭିଡ଼ ହୋଇ ଯାଇଥିଲା।

କିଛି ସମୟ ପରେ ସେକ୍ରେଟାରିଏଟ୍ ଅଗ୍ନିଶମ କେନ୍ଦ୍ରର ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚିଥିଲା। ୪ଟି ଗାଡ଼ିର ୨୫ ଜଣ କର୍ମଚାରୀ ପ୍ରାୟ ଦେଢ଼ ଘଣ୍ଟା ଧରି ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଆଜି କ୍ଷୟକ୍ଷତିର ହିସାବ କରାଯିବ ବୋଲି ଜଣାପଡ଼ିଛି।

Related Posts