ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ଅପରାହ୍ଣରେ ୨ଜଣ ବ୍ୟକ୍ତି ଲୋକସଭାର ‘ଭିଜିଟର୍ସ ଗ୍ୟାଲେରି’ରୁ ଡେଇଁପଡ଼ି ଗୃହରେ ଦୌଡ଼ାଦୌଡ଼ି କରିବାରୁ ବଡ଼ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜାତୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।
ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଉପରୋକ୍ତ ବ୍ୟକ୍ତି ଦୁହେଁ ‘ଗ୍ୟାସ୍ କେନିଷ୍ଟର୍’ ଧରିଥିଲେ। ଘଟଣା ସଂକ୍ରାନ୍ତରେ ବର୍ଣ୍ଣନା କରି ଜଣେ ସାଂସଦ କହିଛନ୍ତି, ହଠାତ୍ କୁଆଡୁ ୨ଜଣ ବ୍ୟକ୍ତି ଚାଲିଆସିଲେ ଓ ଚାରିଆଡ଼େ ହଳଦିଆ ରଙ୍ଗର ଧୂଆଁ ବ୍ୟାପିଗଲା।
ସଦ୍ୟତମ ସୂଚନା ଅନୁସାରେ, ଚେମ୍ବର୍କୁ ଡେଇଁ ଥିବା ୨ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ନାଁ ସାଗର ବୋଲି ଜଣାପଡ଼ିଛି।
ପାର୍ଲାମେଣ୍ଟ୍ ସୁରକ୍ଷାରେ ତ୍ରୁଟି ଘଟିଥିବା କାରଣରୁ ଲୋକସଭାକୁ ମୁଲତବୀ ରଖାଯାଇଛି ଓ ସାଂସଦମାନେ ତୁରନ୍ତ ଗୃହରୁ ବାହାରି ଆସିଛନ୍ତି। ସେମାନେ କହିଛନ୍ତି କି, ଉକ୍ତ ବାଷ୍ପ ପ୍ରଭାବରେ ଆଖି କୁଣ୍ଡେଇ ହେବା ସହିତ ଅନ୍ୟାନ୍ୟ ଅସୁବିଧା ହୋଇଛି।
କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ‘ପବ୍ଲିକ୍ ଗ୍ୟାଲେରି’ରୁ ଲୋକସଭା ଚେମ୍ବର୍କୁ ଡେଇଁଥିବା ସେ ଦୁଇ ବ୍ୟକ୍ତିଙ୍କୁ ସାଂସଦମାନେ କାବୁ କରି ନେଇଛନ୍ତି। ପବ୍ଲିକ୍ ଗ୍ୟାଲେରିରେ ଓହଳି ଥିବା ଦ୍ବିତୀୟ ବ୍ୟକ୍ତିଜଣକ ‘ବାଷ୍ପ’ ସ୍ପ୍ରେ କରିବାରୁ ଆଖି କୁଣ୍ଡାଇ ହେଲା। ସେମାନେ ‘ସ୍ଲୋଗାନ୍’ ଦେଇ ଗ୍ୟାସ୍ ସ୍ପ୍ରେ’ କଲେ ବୋଲି ତୃଣମୂଳ କଂଗ୍ରେସ ନେତା କାକଳି ଦାସ୍ତିଦାର କହିଛନ୍ତି।
ସୂଚନାଯୋଗ୍ୟ, ୨୦୦୧ ମସିହାର ଆଜି ଦିନରେ ସଂସଦରେ ସଶସ୍ତ୍ର ଆତଙ୍କବାଦୀମାନେ ପ୍ରବେଶ କରି ଆକ୍ରମଣ କରିଥିଲେ ଏବଂ ଆଜି ତାହାର ୨୨ତମ ବାର୍ଷିକୀ।