ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ପଦ ଛାଡିଲେ ଫାରୁକ ଅବଦୁଲ୍ଲା । ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ପାର୍ଟି ମୁଖ୍ୟାଳୟରେ ଦଳୀୟ ନେତମାନଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଡିସେମ୍ବର ୫ ତାରିଖରେ ନୂଆ ସଭାପତି ଚୟନ ପାଇଁ ନିର୍ବାଚନ ହେବ । ତେବେ ନିଜର ବୟସ ଓ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ସେ ଇସ୍ତଫା ଦେଇଥିବା ଦଳ ପକ୍ଷରୁ କୁହାଯାଇଛି ।
ତେବେ ନ୍ୟାସନାଲ କନଫରେନ୍ସ ପାର୍ଟି ସୂତ୍ରରୁ ଯାହା ସୂଚନା ମିଳିଛି, ଫାରୁକ୍ ଙ୍କ ପୁଅ ଓମାର ଅବଦୁଲ୍ଲା ଦଳର ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବେ । ବର୍ତ୍ତମାନ ଓମାର ଅବଦୁଲ୍ଲା ଏନସିର ଉପସଭାପତି ଅଛନ୍ତି । ସେ ନୂଆ ମୁଖିଆ ହେବେ ବୋଲି କୁହାଯାଉଥିବାବେଳେ, ଏଥିପାଇଁ ଡିସେମ୍ବର ୫ରେ ନିର୍ବାଚନ ଅନୁଷ୍ଠିତ ହେବ । ଦଳର ମୁଖପାତ୍ର ଅଲ୍ଲୀ ତନବୀର ସିଦ୍ଦିକି କହିଛନ୍ତି, ଖୁବଶୀଘ୍ର ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଯଦ୍ବାରା ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ । ଫାରୁକ ଅବଦୁଲ୍ଲା ଦଶନ୍ଧି ଧରି ଏନସି ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରିଥିଲେ ।