ଦିଲ୍ଲୀର ଜନ୍ତର ମନ୍ତରରେ କୃଷକଙ୍କ ‘ମହାପଞ୍ଚାୟତ’, ୯ ଦଫା ଦାବି ନେଇ ସରକାରଙ୍କୁ ଘେରିଲେ ଚାଷୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ବିଭିନ୍ନ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ କୃଷକ ଦିଲ୍ଲୀ ସ୍ଥିତ ଜନ୍ତର ମନ୍ତରରେ ପହଞ୍ଚି ‘ମହାପଞ୍ଚାୟତ’ କରିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ୍‌) ପକ୍ଷରୁ ଏହି ‘ମହାପଞ୍ଚାୟତ’ ଅନୁଷ୍ଠିତ ହୋଇଛି। କୃଷକ ମହାପଞ୍ଚାୟତ ପାଇଁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କୃଷକ ନେତାଙ୍କ ଅଭିଯୋଗ ଅନୁଯାୟୀ କିଛି ସ୍ଥାନରେ କୃଷକଙ୍କୁ ଅଟକ ରଖାଯାଇଛି ।ସେମାନଙ୍କୁ ଜନ୍ତର ମନ୍ତରରେ ପହଞ୍ଚିବାପାଇଁ ଦିଆଯାଇନାହିଁ। କିନ୍ତୁ ଦିଲ୍ଲୀ ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି। ପ୍ରାୟ ୧୯ ଜଣ କୃଷକଙ୍କୁ ଉତ୍ତରପ୍ରଦେଶର ଗାଜିପୁର ସୀମା ନିକଟରେ ଅଟକ ରଖାଯାଇଥିଲା। ତେବେ ଯାଞ୍ଚ ପରେ ସେମାନଙ୍କୁ ଜନ୍ତର ମନ୍ତରକୁ ଛଡ଼ା ଯାଇଥିବା ପୁଲିସ କହିଛି। ଦିଲ୍ଲୀ ପୁଲିସ ସହରର ସମସ୍ତ ପ୍ରବେଶ ପଥରେ ବ୍ୟାରିକେଡ ରଖିଛି ଏବଂ ଦିଲ୍ଲୀକୁ ପ୍ରବେଶ କରୁଥିବା ସମସ୍ତ ଗାଡ଼ିକୁ ଯାଞ୍ଚ କରୁଛି। ପଂଜାବ, ହରିୟାଣା, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡ଼ିଶା ଏବଂ କେରଳର କୃଷକମାନେ ଦିଲ୍ଲୀର ଜନ୍ତର ମନ୍ତରଠାରେ ମହାପଞ୍ଚାୟତରେ ସାମିଲ ହୋଇଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ୯ଟି ଦାବି ପୂରଣ କରିବାପାଇଁ ଏହି କିଷାନ ପଞ୍ଚାୟତ ଅନୁଷ୍ଠିତ ହୋଇଛି। ଏହାସହିତ କୃଷକମାନେ ଜନ୍ତର ମନ୍ତର ଏବଂ ଅନ୍ୟ ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ବେକାରୀ ସମସ୍ୟା ବିରୋଧରେ ଆନ୍ଦୋଳନ କରିଛନ୍ତି।

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ୯ଟି ଦାବି ନେଇ ସରକାରଙ୍କୁ ଘେରିଛନ୍ତି ଚାଷୀ। ତେବେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରଖାଯାଇଥିବା ଦାବି ଗୁଡ଼ିକ ହେଉଛି, ଲଖିମପୁର ଖେରୀ ହିଂସା ଘଟଣାରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାର ସଦସ୍ୟଙ୍କୁ ନ୍ୟାୟ ମିଳୁ ଏବଂ ୯ ମାସ ଧରି ଜେଲ୍‌ରେ ଥିବା କୃଷକଙ୍କୁ ତୁରନ୍ତ ମୁକ୍ତ କରାଯାଉ। ଏହି ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ଗିରଫ କରାଯାଉ । ସ୍ବାମୀନାଥନ କମିସନ ରିପୋର୍ଟ ଅନୁଯାୟୀ ଚାଷୀଙ୍କୁ ଏମଏସ୍‌ପି ମିଳୁ। ସମସ୍ତ କୃଷକଙ୍କୁ ଋଣମୁକ୍ତ କରାଯାଉ। ବିଦ୍ୟୁତ ସଂଶୋଧନ ବିଲ୍‌ ୨୦୨୨ ବାତିଲ ହେବା ଉଚିତ। ଆଖୁର ସହାୟକ ମୂଲ୍ୟ ବୃଦ୍ଧି ହେବା ଉଚିତ। ଭାରତ ଡବ୍ଲ୍ୟୁଟିଓ (ବିଶ୍ବ ବାଣିଜ୍ୟ ଅନୁଷ୍ଠାନ)ରୁ ଓହରି ଯାଇ ସମସ୍ତ ମାଗଣା ବାଣିଜ୍ୟ ଚୁକ୍ତିକୁ ବାତିଲ କରୁ। କୃଷକ ଆନ୍ଦୋଳନ ସମୟରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରାଯାଉ। କୃଷକମାନେ ଅଗ୍ନିପଥ ଯୋଜନା ପ୍ରତ୍ୟାହାର କରିବାପାଇଁ ମଧ୍ୟ ଦାବି କରିଛନ୍ତି।

Related Posts