ନଭେମ୍ବର ୮ରୁ କଟକ ପ୍ରସିଦ୍ଧ ବାଲିଯାତ୍ରା; ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ନଭେମ୍ବର ୮ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ କଟକରେ ବାଲିଯାତ୍ରା ଆୟୋଜିତ ହେବ। ପ୍ରସିଦ୍ଧ ବାଲିଯାତ୍ରାକୁ ଚଳିତ ଥର ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ବା ଏନ୍‌ଜିଟିର ନିର୍ଦେଶାବଳୀ ଅନୁଯାୟୀ ଯାତ୍ରା ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବାରୋପ କରାଯାଇଛି। ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବାଲିଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ସାମିଲ କରିବା, ଯାତ୍ରା ପଡ଼ିଆକୁ ରାସ୍ତା ସଂଯୋଗ, ଟ୍ରାଫିକ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ଷ୍ଟଲ ପାଇଁ ସ୍ଥାନ ନିର୍ଧାରଣ, ବିଦ୍ୟୁତ ସଂଯୋଗ, ପରିମଳ, ସ୍ବାସ୍ଥ୍ୟସେବା ଓ ଆଇନ ଶୃଙ୍ଖଳା ଆଦି ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଯାତ୍ରା ପଡ଼ିଆରେ ଅଧିକ ସଂଖ୍ୟାରେ ପାନୀୟ ଜଳ ଟ୍ୟାଙ୍କ, ଅସ୍ଥାୟୀ ବାୟୋ ଟଏଲେଟ୍‌ ଆଦି ଲଗାଇବାକୁ କଟକ ପୌର ପରିଷଦ ଓ ଗୃହ ଓ ନଗର ଉନ୍ନୟନ ବିଭାଗକୁ କୁହାଯାଇଛି।

ଯାତ୍ରା ପଡ଼ିଆରେ କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ କରିବା, ଯାତ୍ରା ସମୟରେ ନଦୀରେ ଜଳ କ୍ରୀଡ଼ା ଓ ଡେଜର୍ଟ ବାଇକ ରାଇଡିଂ ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା। ଚଳିତବର୍ଷ ଅଧିକ ସଂଖ୍ୟକ ଲୋକ କଳା, ସଂଗୀତ ଓ ନୃତ୍ୟ ଟ୍ରୁପ୍ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ। ଗୃହ ଓ ନଗର ଉନ୍ନୟନ, ପୂର୍ତ, ଶକ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଆଦି ବିଭାଗ ମାଧ୍ୟମରେ ଯାତ୍ରାର ପ୍ରସ୍ତୁତି ପାଇଁ କରାଯାଇଥିବା ୧୫.୩୫ କୋଟି ଟଙ୍କା ଖର୍ଚ ଆକଳନର ପ୍ରସ୍ତାବିତ ବିନିଯୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, କଟକ ଉନ୍ନୟନ କର୍ତୃପକ୍ଷ ଅଧ୍ୟକ୍ଷ ଅନିଲ ସାମଲ, କଟକ ମହାନଗର ନିଗମ କମିସନର ନିଖିଲ ପବନ କଲ୍ୟାଣ ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ରାଞ୍ଚଳ ରାଜସ୍ବ କମିସନର ସୁରେଶ ଚନ୍ଦ୍ର ଦଳାଇ ଆଭାସୀ ଜରିଆରେ ବୈଠକରେ ସାମିଲ ହୋଇଥିଲେ।

Related Posts