ନିର୍ବାଚନରେ ପ୍ରାର୍ଥୀଙ୍କ କ୍ରିମିନାଲ ରେକର୍ଡ ନ ଦେବା ମହଙ୍ଗା ପଡ଼ିଲା, ବିଜେପି ସମେତ ୮ ରାଜନୈତିକ ଦଳକୁ ଜୋରିମାନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜନୈତିକ ଦଳ ଗୁଡିକୁ ସୁପ୍ରିମକୋର୍ଟଙ୍କ ଛାଟ । ନିର୍ବାଚନ ସମୟରେ ଦଳ ପକ୍ଷରୁ ପ୍ରାର୍ଥୀ ହେଉଥିବା ନେତାଙ୍କ ଅପରାଧିକ ରେକର୍ଡ ସାର୍ବଜନୀନ ନ କରିବା ରାଜନୀତିକ ଦଳଗୁଡ଼ିକୁ ମହଙ୍ଗା ପଡ଼ିଛି। ସୁପ୍ରିମକୋର୍ଟ ୧୦ ଅଗଷ୍ଟ ମଙ୍ଗଳବାର ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ” ରାଜନୈତିକ ପାର୍ଟିମାନେ ନିର୍ବାଚନ ଲାଗି ମନୋନୟନ କରୁଥିବା ପ୍ରାର୍ଥୀଙ୍କ ଅପରାଧିକ ଇତିହାସ ୪୮ ଘଣ୍ଟା ମଧ୍ୟରେ ପ୍ରକାଶନ କରିବା କୋର୍ଟ ଅନିବାର୍ଯ୍ୟ କରିଛନ୍ତି। ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ବାଚନ ଲଢିବା ପାଇଁ ଦଳ ପକ୍ଷରୁ କାହିଁକି ପ୍ରାର୍ଥୀ କରାଯାଇଛି ସେ ସମ୍ପର୍କରେ ମଧ୍ୟ ସୂଚନା ଦେବା ବାଧ୍ୟତାମୂଳକ।

୪ ସପ୍ତାହ ମଧ୍ୟରେ ଜୋରିମାନା ଦେବେ ରାଜନୈତିକ ଦଳ :- 

ସୁପ୍ରିମକୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ବିଜେପି ଓ କଂଗ୍ରେସ ସମେତ ୯ଟି ଦଳ ପ୍ରାର୍ଥୀ ହେଉଥିବା ନେତାଙ୍କ ଅପରାଧିକ ରେକର୍ଡ ସାର୍ବଜନୀନ କରିନାହାନ୍ତି। ଏଥିପାଇଁ ଏହି ୯ଟି ଦଳକୁ ଅଦାଲତ ଅବମାନନା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ବିଜେପି ସମେତ ୮ଟି ରାଜନୈତିକ ଦଳକୁ କୋର୍ଟ ଜୋରିମାନା ଲଗାଇଛନ୍ତି। ଗତବର୍ଷ ବିହାର ନିର୍ବାଚନ ବେଳେ ଦଳୀୟ ପ୍ରାର୍ଥୀଙ୍କ ଅପରାଧ ରେକର୍ଡ ସାର୍ବଜନୀନ କରି ନଥିବାରୁ କଂଗ୍ରେସ, ବିଜେପି ଓ ଅନ୍ୟ ୪ଟି ଦଳକୁ ୧ ଲକ୍ଷ ଟଙ୍କା ଫାଇନ ଦେବାକୁ କୋର୍ଟ କହିଛନ୍ତି। ଆରଜେଡି, ଜନତା ଦଳ ୟୁନାଇଟେଡ(ଜେଡିୟୁ), ଲୋକ ଜନଶକ୍ତି ପାର୍ଟି ଓ ସିପିଆଇ ରହିଛନ୍ତି। ସେହିପରି ଏନସିପି ଓ ସିପିଏମକୁ ୫ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଲଗାଯାଇଛି। ଏମାନଙ୍କୁ ୪ ସପ୍ତାହ ମଧ୍ୟରେ ଜୋରିମାନା ଦାଖଲ କରିବାକୁ କୁହାଯାଇଛି। ବହୁଜନ ସମାଜ ପାର୍ଟି ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ସୁପ୍ରିମକୋର୍ଟ କେବଳ ଚେତାବନୀ ଦେଇ ଛାଡ଼ି ଦେଇଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଶକ୍ତ ଟିପ୍ପଣୀ :-

ବିଚାରପତି ଜଷ୍ଟିସ୍‌ ରୋହିଂଟନ ନରିମାନ ଓ ଜଷ୍ଟିସ୍ ବି.ଆର.ଗବଇ ଏ ସମ୍ପର୍କିତ କୋର୍ଟଙ୍କ ୧୩ ଫେବୃଆରୀ ୨୦୨୦ ନିଷ୍ପତ୍ତିର ସଂଶୋଧନ କରିଛନ୍ତି। ଏହି ରାୟରେ କୋର୍ଟ ପ୍ରାର୍ଥୀଙ୍କ ବିବରଣୀ ପ୍ରକାଶନ ଲାଗି ଉଭୟ ଆଞ୍ଚଳିତ ଓ ଜାତୀୟ ରାଜନୈତିକ ଦଳମାନଙ୍କୁ ୪୮ ଘଣ୍ଟାରୁ ୨ ସପ୍ତାହ ପର୍ଯ୍ୟନ୍ତ ସମୟ ଦେଇଥିଲେ। କିନ୍ତୁ ବର୍ତ୍ତମାନ ୪୮ ଘଣ୍ଟା ମଧ୍ୟରେ ପ୍ରାର୍ଥୀଙ୍କ ବିବରଣୀ ଜାରି କରାଯିବା ବାଧ୍ୟତାମୂଳକ ବୋଲି ସରକାର ଘୋଷଣା କରିଛନ୍ତି। ଗତବର୍ଷ କୋର୍ଟ ରାଜନୈତିକ ଦଳମାନଙ୍କୁ ସେମାନଙ୍କ ପାର୍ଟି ପକ୍ଷରୁ ଯାହାଙ୍କୁ ପ୍ରାର୍ଥୀ ମନୋନୟନ କରାଯାଇଛି ତାଙ୍କ ଅପରାଧିକ ମାମଲା ସମ୍ପର୍କରେ ବିସ୍ତୃତ ବିବରଣୀ ( ଅପରାଧର ପ୍ରକୃତି, ମାମଲା ସଂଖ୍ୟା, ସମ୍ପର୍କିତ କୋର୍ଟ, ଅଭିଯୁକ୍ତ ସାବ୍ୟସ୍ତ କି ନୁହେଁ ଆଦି)  ଜାତୀୟ ସମ୍ବାଦପତ୍ର, ଫେସବୁକ୍‌ ଓ ଟ୍ୱିଟର ସମେତ ରାଜନୈତିକ ଦଳର ଅଧିକାରୀକ ସୋସିଆଲ ମିଡିଆ ସାଇଟ୍‌ରେ ମଧ୍ୟ ସ୍ଥାନୀତ ହେବା ଉଚିତ। କେବଳ ନିର୍ବାଚନରେ ଜିତିବାର ସମ୍ଭାବନା ନୁହେଁ ସେହି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ କାହିଁକି ଦଳ ପ୍ରାର୍ଥୀ କରିବାକୁ ଚାହୁଁଛି ତାଙ୍କ ଶିକ୍ଷାଗତ ଯୋଗ୍ୟତା, ସଫଳତା ଓ ଅନ୍ୟ ଉପଲବ୍ଧି ସହ ସୂଚିତ କରାଯିବା ଦରକାର ବୋଲି କୋର୍ଟ କହିଥିଲେ। ଏଥିରେ ତାଙ୍କୁ ପ୍ରାର୍ଥୀ ମନୋନୟନ କରାଯିବାର କାରଣ ସହିତ ସମାନ ଅପରାଧିକ ପୃଷ୍ଠଭୂମି ଥିବା ଅନ୍ୟ ଜଣକୁ କାହିଁକି ସେଠାରେ ପ୍ରାର୍ଥୀ କରାଯାଇ ପାରିବ ନାହିଁ ବୋଲି ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Related Posts