ପ୍ରବଳ ବର୍ଷା ଯୋଗୁଁ ଦେଶର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି: ଗୁଜୁରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଜାରୀ ରହିଛି ଲଘୁଚାପ ଜନିତ ପ୍ରବଳ ବର୍ଷା । ଏନେଇ ଦେଶର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିଶେଷ କରି ଦେଶରେ ୫ଟି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି।

ସୋମବାର ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମଧ୍ୟପ୍ର ଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ ମୋସୁମୀ ସକ୍ରିୟ ଥିବାବେଳେ, ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଗୁଜୁରାଟରେ ବର୍ଷା ଓ ବନ୍ୟା କାରଣରୁ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି । ବର୍ଷା ପ୍ରଭାବିତ ୧୦ ହଜାରରୁ ଅଧିକ ଲୋକଙ୍କୁ ସରକାର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି । ଗୁଜୁରାଟରେ ବନ୍ୟା ସ୍ଥିତି ଭୟଙ୍କର ହୋଇଥିବା ବେଳେ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ରଜନୀକାନ୍ତ ପଟେଲଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବନ୍ୟାରେ ପ୍ରଭାବିତ ଲୋକମାନଙ୍କ ସହାୟତା ପାଇଁ କେନ୍ଦ୍ର ପୂର୍ଣ୍ଣ ସହଯୋଗ କରିବ ବୋଲି ସେ ଆଶ୍ବାସନା ଦେଇଛନ୍ତି।

ଓରସଙ୍ଗ ନଦୀର ଜଳ ସ୍ତର ବୃଦ୍ଧି ପାଇବାରୁ ତଳିଆ ଅଞ୍ଚଳଗୁଡ଼ିକ ଜଳବନ୍ଦୀ ହୋଇ ରହିଛି। କାବେରି ଏବଂ ଆମ୍ବିଗା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେବାର ଆଶଙ୍କା ଥିବାରୁ ନାଭସାରି ଜିଲ୍ଲା ପ୍ରଶାସନ ମଧ୍ୟ ସତର୍କ ସୂଚନା ଜାରି କରିଛି। ଲୋକମାନଙ୍କୁ ଉଦ୍ଧାର କରିବାକୁ ଏନ୍.ଡି.ଆର.ଏଫ୍. ଟିମ୍ କୁ ନିୟୋଜିତ କରାଯାଇଛି। ବନ୍ୟା ପାଣିରେ ଫସିଥିବା ଲୋକଙ୍କୁ ହେଲିକ୍ୟାପଟରରେ ଉଦ୍ଧାର କରାଯାଇଛି ।

ସେହିଭଳି ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ମଧ୍ୟ ବର୍ଷା ଲୋକଙ୍କର ଚିନ୍ତା ବଢ଼ାଇଛି । ପାଣିପାଗ ବିଭାଗ ମୁତାବକ , ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର ଏବଂ ଜବଲପୁର ସମେତ ୩୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପଟେ ତେଲେଙ୍ଗାନାର ଗୋଦାବରୀ ନଦୀ ବିପଦ ସଂକତେ ଉପରେ ପ୍ରବାହିତ ହେଉଛି । ଏହାଦ୍ବାରା ଭଦ୍ରାଚଲମରେ ବନ୍ୟା ଆସିବାର ଆଶଙ୍କା ଦେଖାଦେଇଛି । କର୍ଣ୍ଣାଟକରେ ମଧ୍ୟ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ରାଜସ୍ଥାନ ଓ ଗୁଜରାଟରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ।

Related Posts