ସରିଲା ରିମାଣ୍ଡ ଅବଧି; ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ, ପୁଣି ରିମାଣ୍ଡରେ ଆଣିପାରେ ଇଡି

ଭୁବନେଶ୍ୱର,୧୩/୧୨(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଏହି କ୍ରମରେ ୭ ଦିନିଆ ଇଡି ରିମାଣ୍ଡରେ ଆସିଥିବା ଅର୍ଚ୍ଚନାର ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଏହି ରିମାଣ୍ଡ ସମୟ ମଧ୍ୟରେ ଅର୍ଚ୍ଚନା ଠାରୁ ଇଡିର ଅଧିକାରୀମାନେ ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ କରିଥିଲେ । ହେଲେ ଅର୍ଚ୍ଚନା ଇଡିକୁ ନିରାଶ କରିଥିବା ସୂଚନା ମିଳିଛି । ଅର୍ଚ୍ଚନା ଅଳ୍ପ କିଛି ତଥ୍ୟ ଦେଇଛି ତେବେ ଅନେକ ପ୍ରଶ୍ନର ଉତ୍ତର ଦେଇନଥିବା ଜଣା ପଡିଛି। ତେବେ ରିମାଣ୍ଡ ଅବଧି ଶେଷ ହୋଇଥିବାରୁ ମଙ୍ଗଳବାର ଅର୍ଚ୍ଚନାକୁ କୋର୍ଟରେ ହାଜର କରାଯିବ ।

ସୂଚନାଯୋଗ୍ୟ ଯେ, ଅର୍ଚ୍ଚନାକୁ ଗତ ୬ ତାରିଖରେ ରିମାଣ୍ଡରେ ଆଣିଥିଲା ଇଡି । ସେହିଦିନ ପ୍ରଥମେ ଡାକ୍ତରୀ ପରୀକ୍ଷା ସାରି କ୍ୟାପିଟାଲ୍‌ ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲା ଅର୍ଚ୍ଚନା। କହିଥିଲା ଯେ, ଏମିତି ତଥ୍ୟ ଅଛି ୩୦ ମିନିଟ୍‌ରେ ରାଜ୍ୟ ଦୋହଲାଇ ଦେବି । ହେଲେ ଅର୍ଚ୍ଚନା ଆଜି ପର୍ଯ୍ୟନ୍ତ ଇଡି ଆଗରେ ଏନେଇ ମୁହଁ ଖାଲୁ ନାହାନ୍ତି । ଏମିତିକି ତଦନ୍ତରେ ସହଯୋଗ କରୁନଥିବା ଜଣାପଡିଛି । ସେପଟେ ବୁଧବାର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ମଧ୍ୟ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି। ଇଡି ତାଙ୍କୁ ମଧ୍ୟ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି । ଏହାସହିତ ଅର୍ଚ୍ଚନାଙ୍କୁ ମଧ୍ୟ ଆଉଥରେ ରିମାଣ୍ଡରେ ଆଣି ଉଭୟ ପତି ପତ୍ନୀଙ୍କୁ ମୁହାଁମୁହିଁ ଜେରା କରିପାରେ ଇଡି। ତେବେ ଆଜି ଉଭୟ କୋର୍ଟରେ ହାଜର ହେବାକୁ ଥିବାରୁ ସୁରକ୍ଷାକୁ ନଜରେ ରଖି ଇଡିର ଅଧିକାରୀମାନେ କମିଶନରେଟ୍‌ ପୁଲିସ୍‌କୁ ୧ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ଓ କିଛି ଅଧିକାରୀ ମାଗିଛନ୍ତି । ସେମାନଙ୍କ ଦାବି ମୁତାବକ ପୁଲିସ୍‌ ଫୋର୍ସ ଦିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

Related Posts