ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କାର କର: ୫୦୦ ପୃଷ୍ଠାର ରିପୋର୍ଟରେ କହିଲା ଏଥିକ୍ସ୍‌ କମିଟି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ‘ତୃଣମୂଳ କଂଗ୍ରେସ’ର ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଉ ବୋଲି ‘ଅର୍ଥ ବିନିମୟରେ ପ୍ରଶ୍ନ’ ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ ‘ଏଥିକ୍ସ୍‌ କମିଟି’ ସୁପାରିସ କରିଥିବା କଥା କେତେକ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ମହୁଆ ମୈତ୍ରଙ୍କ କାର୍ଯ୍ୟକୁ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଘୃଣ୍ୟ ଓ ଅପରାଧିକ ବୋଲି କହିବା ସହିତ ତାଙ୍କ ପ୍ରତି କଠୋର ଦଣ୍ଡବିଧାନ କରିବା ଲାଗି ଦାଖଲ କରିଥିବା ୫୦୦ ପୃଷ୍ଠାସମ୍ବଳିତ ରିପୋର୍ଟରେ ‘ଏଥିକ୍ସ୍‌ କମିଟି’ କହିଛି।

କମିଟି ସୁନିଶ୍ଚିତ ହୋଇଛି ଯେ, ମହୁଆ ମୈତ୍ର ଅନଧିକୃତ ବ୍ୟକ୍ତିମାନଙ୍କ ସହିତ ‘ୟୁଜର୍‌ ଆଇଡି’ ସେୟାର୍‌ କରିଛନ୍ତି। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଅର୍ଥ ଓ ଉପହାର ଗ୍ରହଣ କରିଛନ୍ତି। ଏହା ସାଙ୍ଘାତିକ ଅପକର୍ମ। ତେଣୁ, ତାଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯାଉ।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ମହୁଆ ମୈତ୍ର ଓ ଦର୍ଶନ ହୀରାନନ୍ଦାନୀଙ୍କ ମଧ୍ୟରେ ହୋଇଥିବା ଅର୍ଥ ଦେଣନେଣ ହେଉଛି ସେମାନଙ୍କ ମଧ୍ୟରେ ହୋଇଥିବା ରାଜିନାମାର ଅଂଶବିଶେଷ। ଏହାକୁ ଭାରତ ସରକାର ଆଇନଗତ ଓ ବିଧିବଦ୍ଧ ଭାବେ ନିର୍ଦ୍ଧାରିତ ସମୟ ମଧ୍ୟରେ ତଦନ୍ତ କରିବା ଉଚିତ।

ସଂସଦର ଶୀତକାଳୀନ ଅଧିବେଶନରେ ଏହି ରିପୋର୍ଟ ଦାଖଲ କରାଯିବ ଏବଂ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଅପରାହ୍ଣ ୪ ବେଳେ ମହୁଆ ମୈତ୍ର କମିଟି ସମ୍ମୁଖରେ ହାଜର ହେବେ ବୋଲି ଆଶା କରାଯାଉଛି।

Related Posts