ହାଇକୋର୍ଟରେ ମାମଲା ବିଚରାଧୀନ ଥିବା ସତ୍ତ୍ୱେ ଅଟକୁନି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଖନନ ଓ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହାଇକୋର୍ଟରେ ମାମଲା ବିଚରାଧୀନ ଥିବା ସତ୍ତ୍ୱେ ଅଟକୁନି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଖନନ ଓ ନିର୍ମାଣ କାର୍ଯ୍ୟ । ସେପଟେ ଖନନ କାର୍ଯ୍ୟକୁ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ବିରୋଧ କରିବାରେ ଲାଗିଛନ୍ତି । ତଥାପି ପ୍ରଶାସନ କାହାକୁ ଖାତିର ନକରି ଖନନ କାର୍ଯ୍ୟ କରିବାରେ ଲାଗିଛି । ଏପରିକି ହାଇକୋର୍ଟଙ୍କ ମଧ୍ୟ ପ୍ରଶାସନର ଖାତିର ନାହିଁ । ମନମୁଖୀ ଶାସନର ପ୍ରମାଣ ଦେଇ ପଶ୍ଚିମଦ୍ବାର, ଦକ୍ଷିଣଦ୍ବାର ଓ ଉତ୍ତରଦ୍ବାରରେ ଜୋରଦାର ନିର୍ମାଣ କାମ ଚାଲିଛି। ଏହା ସହ ପଶ୍ଚିମଦ୍ବାର ବାମ ପାର୍ଶ୍ବରେ ନିର୍ମାଣାଧୀନ ୪ ଘରର ଛାତ ପଡ଼ିବା ପରେ ଡାହାଣ ପାର୍ଶ୍ବରେ ନିର୍ମାଣାଧୀନ କୋଠାର ଛାତ ପଡ଼ିବାକୁ ପଟା ସେଟିଂ ଚାଲିଛି। ଦକ୍ଷିଣଦ୍ବାର କାମ ବି ଜୋରସୋରରେ ଚାଲିଛି। ଏହା ମଧ୍ୟରେ ଆଉ ଏକ ମନମୁଖି କାର‌୍ୟ୍ୟର ପ୍ରମାଣ ଦେଖିବାକୁ ମିଳିଛି। ଯେଉଁ ଏନ୍‌ଓସି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମୂଳରୁ ଦେଖାଇ ଆସୁଛନ୍ତି, ସେଥିରେ ଶ୍ରୀମନ୍ଦିର କାର‌୍ୟ୍ୟାଳୟ ନିର୍ମାଣକୁ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ) ସ୍ପଷ୍ଟ ମନା କରି ଦେଇଥିଲେ। କିଛି ଦିନର ନିରବତା ପରେ ଏବେ ପୁଣିଥରେ ଏହି କାମ ଆରମ୍ଭ ହୋଇଯାଇଛି।

ମୂଳଦୁଆ ପଡ଼ିବା ପରେ ପିଲର ଉଠିବା ପାଇଁ ପ୍ରସ୍ତୁତି ଚାଲିଛି। ଅନ୍ୟପଟେ କିଛି ଦିନ ତଳେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯେଉଁ ଖନନ ଓ ନିର୍ମାଣ ଚାଲିଛି, ତାହା ଏନ୍‌ଏମ୍‌ଏର ଏନ୍‌ଓସି ଆଧାରରେ ହେଉଛି ବୋଲି ଦର୍ଶାଇଥିଲେ। ଯେଉଁଥିରେ ଭକ୍ତ, ସେବାୟତ ଶୌଚାଳୟ, ସେଲ୍‌ଟର ପାଭିଲିୟନ୍‌, କ୍ଲକ ରୁମ୍‌, ଇଲେକ୍ଟ୍ରି ରୁମ୍‌କୁ ଛାଡ଼ିଦେଲେ, ଅନ୍ୟ କିଛି ପ୍ରକଳ୍ପ କାର‌୍ୟ୍ୟକୁ ଅନୁମତି ନଥିଲା। ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ଶ୍ରୀମନ୍ଦିର କାର‌୍ୟ୍ୟାଳୟ ଗୃହ ନିର୍ମାଣକୁ ଅନ୍ତର୍ଭୁକ୍ତ କରି ଦିଆଯାଇଥିବାରୁ ଏହି ପ୍ରକଳ୍ପର ରୂପରେଖ ଭିନ୍ନ ଭାବେ ଦାଖଲ କରିବାକୁ ବି କୁହାଯାଇଥିଲା। ରେଗୁଲେଟେଡ୍ ଅଞ୍ଚଳରେ ସ୍ଥାନ ଚିହ୍ନଟ କରି ଅନୁମତି ମାଗିବାକୁ କୁହାଯାଇଥିଲା। ଏହା ସତ୍ତ୍ବେ ଶ୍ରୀମନ୍ଦିର କାର‌୍ୟ୍ୟାଳୟର ଏହି ପୁରୁଣା କୋଠାକୁ ଭାଙ୍ଗି ନୂଆ କୋଠା ନିର୍ମାଣ ପାଇଁ ଉଦ୍ୟମ କରାଯାଇଥିଲା।
ମୂଳଦୁଆ ପକାଇବାକୁ କ୍ଷେତ୍ର ପ୍ରସ୍ତୁତି ଚାଲିଥିଲା। ବିରୋଧ ଦେଖା ଦେବାରୁ ଏହାକୁ ବାଲି ପକାଇ ପୋତି ଦେଇଥିଲା ଠିକା ସଂସ୍ଥା। କିଛି ଦିନର ନିରବତା ପରେ ପୁଣିଥରେ ଠିକା ସଂସ୍ଥା ଏହି ନିର୍ମାଣ କାର‌୍ୟ୍ୟକୁ ଜୋରଦାର କରିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts