ଜେଲରୁ ବାହାରିଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ, ସମର୍ଥକମାନେ କଲେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜେଲରୁ ବାହାରିଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖ । ପ୍ରାୟ ୧୩ ମାସ ଜେଲରେ ରହିବା ପରେ ଆଜି ଜେଲରୁ ମୁକୁଳିଛନ୍ତି ଅନୀଲ ଦେଶମୁଖ। ତାଙ୍କ ବିରୋଧରେ ସିବିଆଇ ଫାଇଲ୍‌ କରିଥିବା ୧୦୦ କୋଟି ଟଙ୍କାର ଦୁର୍ନୀତି ଓ କ୍ଷମତାର ଅପବ୍ୟବହାର ମାମଲାରେ ଅନୀଲ ଦେଶମୁଖଙ୍କ ଜାମିନ ମଞ୍ଜୁର କରିଥିଲେ ବମ୍ବେ ହାଇକୋର୍ଟ। ଆଜି ମୁମ୍ବାଇର ଆର୍ଥର ରୋଡ ଜେଲରୁ ସେ ମୁକ୍ତ ହୋଇଛନ୍ତି। ତାଙ୍କୁ ମୁକ୍ତ କରାଯିବା ପରେ ଅନିଲ ଦେଶମୁଖଙ୍କୁ ତାଙ୍କ ସମର୍ଥକମାନେ ଭବ୍ୟ ସ୍ୱାଗତ କରିଥିଲେ। ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ କୋର୍ଟ ଦେଶମୁଖଙ୍କୁ ମୁକ୍ତ କରିବା ଲାଗି ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଦୁର୍ନୀତି ମାମଲାରେ ଅଭିଯୁକ୍ତ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିବାକୁ ବମ୍ବେ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ପୂର୍ବରୁ ସିବିଆଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଡିସେମ୍ବର ୧୨ରେ ବମ୍ବେ ହାଇକୋର୍ଟ ୭୩ ବର୍ଷିୟ ଏନସିପି ନେତାଙ୍କୁ ଜାମିନ ପ୍ରଦାନ କରିଥିଲେ। କିନ୍ତୁ କୋର୍ଟ କହିଥିଲେ ଯେ ଏହି ଆଦେଶ ୧୦ ଦିନ ପରେ କାର୍ଯ୍ୟକାରୀ ହେବ, କାରଣ ସିବିଆଇ ଏହାକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିବାକୁ ସମୟ ମାଗିଥିଲା।

ତାଙ୍କୁ ଜାମିନ ମିଳିଥିବା ବେଳେ ସିବିଆଇ ଆବେଦନ କରିବା ଆଳରେ ସମୟ ଗଡ଼ାଇ ଚାଲିଥିଲା। ଆବେଦନ ପାଇଁ ଦ୍ୱିତୀୟ ଥର ସିବିଆଇ ସମୟ ମାଗିଥିଲେ ମଧ୍ୟ ଏହାକୁ ମଙ୍ଗଳବାର ବମ୍ବେ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ । ନଭେମ୍ବର ୨୦୨୧ରେ ଆର୍ଥିକ ହେରଫେର ମାମଲାରେ ଅନିଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା।

Related Posts