ସମସ୍ତେ ମରିବେ; କାଶ୍ମୀରରେ ହିନ୍ଦୁ ମହିଳା ଶିକ୍ଷକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ଏପରି କହିଲେ ଫାରୁକ ଅବଦୁଲ୍ଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି କାଶ୍ମୀରର କୁଲଗାମରେ ଜଣେ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ପୁଣି ଥରେ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ପୂର୍ବତନ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା । ତେବେ ତାଙ୍କୁ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ହତ୍ୟା ବିଷୟରେ ପଚରାଯିବା ପରେ ଫାରୁକ୍ ଅବଦୁଲ୍ଲା କହିଥିଲେ ଯେ ‘ସମସ୍ତେ ମରିବେ’। ତାଙ୍କର ଏଭଳି ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ସେପଟେ ମୃତ ଶିକ୍ଷୟିତ୍ରୀଙ୍କ ନାଁ ରଜନୀ ବାଲା ବୋଲି ଚିହ୍ନଟ କରାଯାଇଛି। ମୃତ୍ୟୁ ବେଳକୁ ତାଙ୍କ ୩୬ ବର୍ଷ ବୟସ ହୋଇଥିଲା। ରଜନୀ ହେଉଛନ୍ତି ଜମ୍ମୁସ୍ଥିତ ଶାମ୍ବାର ବାସିନ୍ଦା। ରଜନୀଙ୍କୁ ଆତଙ୍କବାଦୀମାନେ ସେ ଶିକ୍ଷକତା କରୁଥିବା ସ୍ଥାନ କୁଲଗାମର ଗୋପାଲପୋରା ଅଞ୍ଚଳରେ ଗୁଳି ମାରିଥିଲେ। ଗୁଳିମାଡ଼ ପରେ ସେ ଗୁରୁତର ହୋଇଯିବାରୁ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଜଘନ୍ୟ କାଣ୍ଡ କେଉଁ ଆତଙ୍କବାଦୀ ଘଟାଇଛି ତାହା ଖୁବ୍ ଶୀଘ୍ର ଜଣାପଡ଼ିଯିବ ବୋଲି ପୁଲିସ୍ ସୂତ୍ରରୁ ଜଣାପଡ଼ିଛି।। ଅନ୍ୟପଟେ ଫାରୁକ୍ ଅବଦୁଲ୍ଲା ଏପରି ବିବାଦୀୟ ବୟାନ ଦେବା ପ୍ରଥମ ଘଟଣା ନୁହଁ । ଏହା ପୂର୍ବରୁ ଫାରୁକ୍ ଅବଦୁଲ୍ଲା କଶ୍ମୀରୀ ପଣ୍ଡିତ ରାହୁଲ ଭଟଙ୍କ ଉପରେ ହୋଇଥିବା ଆକ୍ରମଣକୁ ଫିଲ୍ମ କଶ୍ମୀର ଫାଇଲ୍ସ ସହିତ ଯୋଡିଥିଲେ। ମେ’ ୧୨ରେ ଆତଙ୍କବାଦୀମାନେ ବଡ଼ଗାମ୍ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍‌ଦାର୍‌ଙ୍କ ଅଫିସ୍‌ରେ ବଳପୂର୍ବକ ପ୍ରବେଶ କରି ରାହୁଲ୍ ଭଟ୍ଟଙ୍କୁ ଗୁଳିମାରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଆତଙ୍କବାଦୀ ଗୋଷ୍ଠୀ ‘କାଶ୍ମୀର ଟାଇଗର୍ସ’ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ତେବେ ଏହି ଘଟଣା ପରେ କଶ୍ମୀରୀ ପଣ୍ଡିତ ନିଜ ଜୀବନ ବଞ୍ଚାଇବା ପାଇଁ ଗୁହାରି କରୁଥିବା ବେଳେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏଭଳି ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ଯଦି କଶ୍ମୀରୀ ପଣ୍ଡିତଙ୍କ ଉପରେ ହେଉଥିବା ଆକ୍ରମଣ ବନ୍ଦ କରିବାକୁ ଚାହୁଁଛନ୍ତି, ତେବେ ସରକାର ଫିଲ୍ମ କଶ୍ମୀର ଫାଇଲ୍ସ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍। ଜଣେ ମୁସଲମାନ ପ୍ରଥମେ ଜଣେ ହିନ୍ଦୁଙ୍କୁ ହତ୍ୟା କରିବ, ତା’ପରେ ରକ୍ତ ମିଶା ଚାଉଳକୁ ତାଙ୍କ ପତ୍ନୀଙ୍କୁ ଖାଇବାକୁ ବାଧ୍ୟ କରିବ, ଏଭଳି ସମ୍ଭବ କି? ଆମେ ଏତେ ତଳକୁ ଖସିଯାଇପାରୁ କି? କଶ୍ମୀର ଫାଇଲ୍ସ ଏକ ଭିତ୍ତିହୀନ ଚଳଚ୍ଚିତ୍ର ଯାହା କେବଳ ଦେଶରେ ଘୃଣା ସୃଷ୍ଟି କରିଛି। ଫିଲ୍ମ ରିଲିଜ୍ ପରେ ଦେଶରେ ମୁସଲମାନମାନଙ୍କ ପ୍ରତି ଘୃଣା ବଢ଼ିଛି। ଏହି ଫିଲ୍ମ ପାଇଁ କଶ୍ମୀରରେ ମୁସଲମାନ ଯୁବକମାନଙ୍କ ମଧ୍ୟରେ କ୍ରୋଧ ଦେଖାଦେଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts