ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ‘ହିନ୍ଦୁ’ ଅଟନ୍ତି, ସମସ୍ତଙ୍କ ଡିଏନଏ ସମାନ: ମୋହନ ଭାଗବତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ହେଉଛି ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠାରେ ହିନ୍ଦୁ, ମୁସଲମାନ, ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ ଆଦି ବିଭିନ୍ନ ଧର୍ମର ଲୋକେ ବସବାସ କରିଥାନ୍ତି । ହେଲେ ଅନେକ ସମୟରେ ବିଭିନ୍ନ ଧର୍ମକୁ ନେଇ କିଛି ବ୍ୟକ୍ତିବିଶେଷ ନାନାପ୍ରକାରର ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଥାନ୍ତି । ତେବେ ଏହି କ୍ରମରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ମଧ୍ୟ ଏକ ବିବାଦୀୟ ମନ୍ତବ୍ୟ ପ୍ରଦାନ କରି ଚର୍ଚ୍ଚାକୁ ଆସିଛନ୍ତି ।

ଛତିଶଗଡ଼ର ଅମ୍ବିକାପୁର ଠାରେ ସଂଘର ସ୍ୱୟଂସେବକଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଭାଗବତ କହିଥିଲେ, ଭାରତରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ହିନ୍ଦୁ । ପ୍ରତ୍ୟେକ ଭାରତୀୟଙ୍କ ଡିଏନଏ ସମାନ । ତେଣୁ ପୂଜା ରୀତିନୀତି ପଦ୍ଧତି ରେ କାହାର କୌଣସି ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ । ବିବିଧତା ମଧ୍ୟରେ ଏକତା ବଜାୟ ରଖିବା ହେଉଛି ଭାରତର ପୁରୁଣା ବୈଶିଷ୍ଟ୍ୟ । ହିନ୍ଦୁତ୍ୱ ହେଉଛି ବିଶ୍ୱର ଏକମାତ୍ର ଧାରଣା, ଯାହା ସମସ୍ତଙ୍କୁ ଏକତ୍ର ଯୋଡ଼ିବାରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ୧୯୨୫ ମସିହାରେ ଆରଏସଏସ ପ୍ରତିଷ୍ଠା ହେବା ପରଠାରୁ ଭାରତରେ ରହି ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ହିନ୍ଦୁ । ଯେଉଁମାନେ ଭାରତକୁ ସେମାନଙ୍କର ମାତୃଭୂମି ଭାବେ ବିବେଚନା କରନ୍ତି, ବିବିଧତା ମଧ୍ୟରେ ଏକତାର ସଂସ୍କୃତି ସହ ବଞ୍ଚିବାକୁ ଚାହାନ୍ତି, ସେମାନେ ଯେ କୌଣସି ଧର୍ମ, ସଂସ୍କୃତି, ଭାଷା, ବିଚାରଧାରାର ହେଲେ ମଧ୍ୟ ସେମାନେ ସମସ୍ତେ ହିନ୍ଦୁ ଅଟନ୍ତି । ହିନ୍ଦୁତ୍ୱର ବିଚାରଧାରା ବିବିଧତାକୁ ଚିହ୍ନିଥାଏ ଓ ଏହା ଲୋକଙ୍କ ମଧ୍ୟରେ ଏକତାକୁ ବଜାୟ ରଖିବାକୁ ବିଶ୍ୱାସ କରେ । ପ୍ରତ୍ୟେକ ଭାରତୀୟ ୪୦ ହଜାର ବର୍ଷର ପୁରୁଣା ଅଖଣ୍ଡ ଭାରତର ଅଂଶ ଅଟନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ଆସ୍ଥା ଓ କର୍ମକାଣ୍ଡ ଉପରେ କାଏମ ରଖିବା ଉଚିତ । ଅନ୍ୟ ଧର୍ମକୁ ପରିବର୍ତ୍ତନ କରିବା ପାଇଁ ଉଦ୍ୟମରୁ ନିବୃତ୍ତ ରହିବାକୁ ଆମର ପୂର୍ବ ପୁରୁଷମାନେ ଶିଖାଇ ଯାଇଛନ୍ତି ବୋଲି ଭାଗବତ କହିଛନ୍ତି ।

Related Posts