ଏଣିକି ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ବି ମିଳିବ ମଧ୍ୟାହ୍ନଭୋଜନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏଣିକି ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ବି ମଧ୍ୟାହ୍ନଭୋଜନ ଦିଆଯିବ। ପ୍ରଥମେ କେନ୍ଦୁଝର ଜିଲ୍ଲାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ୨୦୨୧-୨୨ ଶିକ୍ଷାବର୍ଷରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଜିଲ୍ଲାର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଏହା ଦ୍ବାରା ଉପକୃତ ହୋଇପାରିବେ। ଅପରପକ୍ଷରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଯଦି ସବୁ କିଛି ଠିକ୍‌ଠାକ୍‌ ଭାବେ ଚାଲେ, ତେବେ ଆସନ୍ତା ୨୦୨୨-୨୩ ଶିକ୍ଷାବର୍ଷରୁ ସାରା ରାଜ୍ୟରେ ଥିବା ସବୁ ସରକାରୀ ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବର ଲକ୍ଷ୍ୟ ରଖାଯାଇଛି।

ଡିଏମ୍‌ଏଫ୍‌ରୁ କେନ୍ଦୁଝର ଜିଲ୍ଲାରେ ଦିଆଯିବାକୁ ଥିବା ମଧ୍ୟାହ୍ନଭୋଜନରେ ସରକାରୀ ସ୍କୁଲ ସାଙ୍ଗକୁ ଅନୁଦାନପ୍ରାପ୍ତ, ନୂତନ ଅନୁଦାନପ୍ରାପ୍ତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସଂସ୍କୃତ ଟୋଲ୍‌ ଓ ଏସ୍‌ଏସ୍‌ଡି ବିଭାଗ ଅଧୀନ ହାଇସ୍କୁଲକୁ ସାମିଲ କରାଯିବ ବୋଲି ସୂଚନା ମିଳିଛି । ଏ ନେଇ ସବୁ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିବାକୁ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଗୁରୁବାର ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ), ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସେପ୍ଟେମ୍ବର ୩ ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ କହିଛନ୍ତି। ଏହି ତଥ୍ୟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ହାଇସ୍କୁଲ ପିଲାଙ୍କୁ ମଧ୍ୟାହ୍ନଭୋଜନ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। କରୋନା ମହାମାରୀ ଯୋଗୁଁ ଏଥିରେ ବିଳମ୍ବ ହେଉଥିବାରୁ ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନେବାକୁ ଯାଉଛନ୍ତି। ଏବେ ପିଲାଙ୍କର ପୁଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ବାରୋପ କରାଯାଉଛି। କରୋନା କାଳରେ ରାଜ୍ୟର ୪୩ ହଜାର ସ୍କୁଲରେ କିଚେନ୍‌ ଗାର୍ଡେନ୍‌ କରାଯିବା ସହ ୪୭ ହଜାର ସ୍କୁଲକୁ ଗ୍ୟାସ୍‌ ସିଲିଣ୍ଡର ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି।

ସେହିପରି ମଧ୍ୟାହ୍ନଭୋଜନ ପାଚିକାଙ୍କ ପାଇଁ ଏକ ଟ୍ରେନିଂ ଆପ୍‌ର ଡେଭଲପ୍ କରାଯାଇଛି। ମଧ୍ୟାହ୍ନଭୋଜନ ଯୋଜନା ଅଧୀନରେ ଲକ୍ଷଲକ୍ଷ ସ୍କୁଲ ପିଲାଙ୍କୁ ସୁସ୍ଥ ଓ ନିରାପଦ ଖାଦ୍ୟ ପରିବେଷଣ ପାଇଁ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲୁଏଫ୍‌ପି) ଓ ବିଦ୍ୟାଳୟ ଓ ଗଣଶିକ୍ଷ‌ା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ଆପ୍‌କୁ ପାଇଲଟ୍‌ ପ୍ରକଳ୍ପ ଭାବେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକରେ କାର୍ଯ୍ୟକାରୀ କରାଯାଇଛି। ଏହାର ସଫଳତା ମିଳିବା ପରେ ଏହି ବ୍ୟବସ୍ଥାକୁ ସାରା ରାଜ୍ୟରେ ଲାଗୁ କରାଯିବ।

ଏହି ଆପ୍‌ ର ଉନ୍ମୋଚନ କରିବା ଅବସରରେ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି , ପିଲାଙ୍କ ପାଇଁ ଉତ୍ତମ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ଏହି ବ୍ୟବସ୍ଥା ଓ ଉପଲବ୍ଧ ଉତ୍ସଗୁଡ଼ିକ ପାଚିକାଙ୍କୁ ସଶକ୍ତ କରିବ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ୧ଲକ୍ଷ ୧୪ ହଜାର ୨୨୫ଜଣ ପାଚିକାଙ୍କ ଦ୍ବାରା ପ୍ରାୟ ୪୩ ଲକ୍ଷ ୭୦ ହଜାର ସ୍କୁଲ ପିଲାଙ୍କୁ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ଆପ୍‌ର ଟାବଲେଟ୍ କାମାକ୍ଷା‌ନଗରର ୧୫୮ଟି ବିଦ୍ୟାଳୟରେ ବଣ୍ଟନ କରାଯିବ। ଇଣ୍ଟରନେଟ୍‌ କନେକ୍ସନ୍ ଉପଲବ୍ଧ ହେଲେ ପର୍ଯ୍ୟାୟକ୍ରମେ ଟ୍ରେନିଂ କାର୍ଯ୍ୟକ୍ରମର ବିଷୟବସ୍ତୁଗୁଡ଼ିକ ଉଭୟ ଅନଲାଇନ୍ ଓ ଅଫଲାଇନ୍‌ରେ ଗ୍ରହଣ କରିହେବ।

Related Posts