(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବୈଦ୍ୟୁତିକ ଯାନ କିଣିଲେ ରାଜ୍ୟ ସରକାର ୪ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇଦେବେ। ଏଥି ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ‘ବୈଦ୍ୟୁତିକ ଯାନ ପାଣ୍ଠି’ ସ୍ଥାପନ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁସାରେ, ଦୁଇଚକିଆ ବୈଦ୍ୟୁତିକ ଯାନ କ୍ରୟ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଏବଂ ସର୍ବୋଚ୍ଚ ୫୦୦୦ ଟଙ୍କା, ତିନିଚକିଆ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଏବଂ ସର୍ବୋଚ୍ଚ ୧୦ ହଜାର ଟଙ୍କା ତଥା ଚାରିଚକିଆ ଯାନ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଓ ସର୍ବୋଚ୍ଚ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରାଯିବ ।
ବସ୍ କ୍ରୟ ନିମନ୍ତେ ଗାଡ଼ି ମୂଲ୍ୟର ୧୦ ପ୍ରତିଶତ ଏବଂ ସର୍ବୋଚ୍ଚ ୪ ଲକ୍ଷ ଟଙ୍କା ପ୍ରୋତ୍ସାହନ ଯୋଗାଇଦେବାକୁ ଥିବାବେଳେ ମାଲବାହୀ ଯାନ ପାଇଁ ୩୦ ହଜାର ଟଙ୍କାର ପ୍ରୋତ୍ସାହନ ଦିଆଯିବ । ଯଦି କେହି ନିଜସ୍ୱ ବ୍ୟବହାର ପାଇଁ ବୈଦ୍ୟୁତିକ ଗାଡ଼ି କିଣିବାକୁ ଲୋନ୍ କରନ୍ତି , ତେବେ ରାଜ୍ୟ ସରକାର ସେହି ଋଣ ଉପରେ ୫ପ୍ରତିଶତ ସୁଧ ଛାଡ଼ କରିବେ। ସେହିପରି ୪ବର୍ଷ ପାଇଁ ସବୁବର୍ଗର ବିଦ୍ୟୁତଚାଳିତ ଯାନର ପଞ୍ଜିକରଣ ଓ ମୋଟର ଯାନ ଟିକସ ଦେୟ ମଧ୍ୟ ଛାଡ଼ କରାଯିବା ବୋଲି ନିଷ୍ପତ୍ତି ନିଆଯାଇଛି।
ଏତଦ୍ ବ୍ୟତୀତ ବିଦ୍ୟୁତଚାଳିତ ଯାନ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକୁ ଶତପ୍ରତିଶତ ଏସଜିଏସଟି ଛାଡ଼ କରାଯିବ। ଅଣୁ, ମଧ୍ୟମ ଓ କ୍ଷୁଦ୍ର ନୀତି-୨୦୧୬ ଅନୁସାରେ ସମସ୍ତ କ୍ଷୁଦ୍ର ଓ ଅଣୁ ବ୍ୟାଟେରୀ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ମିଳିବ । ଏହି ଉଦ୍ୟୋଗୀମାନଙ୍କ ନିମନ୍ତେ ବ୍ୟାଟେରୀ ଉତ୍ପାଦନ ପାଇଁ ଷ୍ଟାର୍ଟଅପ୍ ପଲିସି ଅନୁଯାୟୀ ସମସ୍ତ ସୁବିଧା ଉପଲବ୍ଧ ହେବ ।
ସେହିପରି ବିଭିନ୍ନ ସହରଗୁଡ଼ିକରେ ବୈଦ୍ୟୁତିକ ଯାନଗୁଡ଼ିକ ପାଇଁ ରହିଥିବା ପାର୍କିଂ ଫିସ୍ରେ ରିହାତି ମିଳିବ । ଏବଂ ବ୍ୟାଟେରୀ ଚାର୍ଜିଂ ଷ୍ଟେସନ୍ଗୁଡ଼ିକୁ ବିଦ୍ୟୁତ ଶୁଳ୍କ ନିମନ୍ତେ ମଧ୍ୟ ରିହାତି ଦିଆଯିବାର ବନ୍ଦୋବସ୍ତ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏଠାରେ ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶା ବୈଦ୍ୟୁତିକ ଯାନ ନୀତି-୨୦୨୧ ଘୋଷଣା ହେବା ସହ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଓ ପରିବହନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି।