ଆଉନାହାନ୍ତି ପ୍ରଫୁଲ୍ଲ କର, ସଙ୍ଗୀତ ଦୁନିଆ ସ୍ତବ୍ଧ

ପ୍ରଖ୍ୟାତ ଗାୟକ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କର ୮୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ବର ସତ୍ୟନଗର ସ୍ଥିତ ତାଙ୍କ ବାସଭବନରେ ରବିବାର ରାତିରେ ପ୍ରଫୁଲ୍ଲ କରଙ୍କ ପରଲୋକ ଘଟିଛି। ଜଣେ ସୁନାମଧନ୍ୟ ଗାୟକ ଓ ସଙ୍ଗୀତ ନିର୍ଦେଶକ ଭାବେ ସେ ବେଶ ପରିଚିତ ଥଲେ । ସଙ୍ଗୀତ ଜଗତଙ୍କୁ ବିଶେଷ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ଗତକାଲି ରାତି ପ୍ରାୟ ୯ଟାରେ ରାତ୍ରିଭୋଜନ କରି ବିଶ୍ରାମ ନେଇଥିଲେ। ପ୍ରାୟ ସାଢ଼େ ୯ଟା ବେଳକୁ ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଅକ୍ସ‌ିଜେନ୍ ସ୍ତର ହଠାତ୍‌ କମିଯାଇଥିଲା। ଏହାର କିଛି ସମୟ ଭିତରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ମନୋରମା କର, ଦୁଇ ପୁଅ ମହାଦୀପ ଓ ମହାପ୍ରସାଦଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ତାଙ୍କୁ ୮୩ ବର୍ଷ ହୋଇଥିଲା।

ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ‌‌ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି। ତାଙ୍କ ପରଲୋକ ଖବର ପାଇ ବନ୍ଧୁ, ଶୁଭେଚ୍ଛୁମାନେ ତାଙ୍କ ସତ୍ୟନଗରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

୧୯୩୯ ଫେବୃଆରୀ ୧୬ରେ ପୁରୀଠାରେ ପ୍ରଫୁଲ୍ଲ କର ଜନ୍ମଗ୍ରହଣ କରିଥିଲେ। ବୈଦ୍ୟନାଥ କର ଓ ସୁଶିଳା କରଙ୍କ ପୁତ୍ର ପ୍ରଫୁଲ୍ଲଙ୍କ ପରିବାର ସଙ୍ଗୀତମୟ ଥିଲା। ତାଙ୍କ ପିତାଙ୍କ ବଡ଼ ଭାଇ କ୍ଷେତ୍ରମୋହନ କର ଜଣେ ତବଲା ବାଦକ ଥିବାରୁ ବିଶିଷ୍ଟ କଳାକାରମାନେ ତାଙ୍କ ଘରକୁ ଯିବା ଆସିବା କରୁଥିଲେ। ବାଲ୍ୟକାଳରୁ ପ୍ରଫୁଲ୍ଲ କର ଏହି ସବୁ ସଙ୍ଗୀତଜ୍ଞଙ୍କୁ ଶୁଣିବାର ସୁଯୋଗ ପାଇଥିଲେ। ଯାହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ପିଲାବେଳୁ ସେ ନିଜ ପିତାଙ୍କୁ ହରାଇଥିଲେ ଏବଂ ମାମୁଁ ଘରେ ତାଙ୍କର ଲାଳନପାଳନ ହୋଇଥିଲା। ଅଜା ଭଗବାନ ମିଶ୍ର ଓ ଆଈ ଅପର୍ଣ୍ଣା ଦେବୀଙ୍କ ଦ୍ୱାରା ଏକ ବୌଦ୍ଧିକ ଓ ଧାର୍ମିକ ପରିବେଶରେ ବଢିଥିଲେ। ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସେ ଶିକ୍ଷାଗ୍ରହଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନରେ ସ୍ନାତକ ଉପାଧି ଲାଭ କରିଥିଲେ।

୨୦୧୫ ରେ ପ୍ରଫୁଲ୍ଲ କରଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ରେ ସମ୍ମାନିତ କରିଥିଲେ।

Related Posts