ଆହାର ଯୋଜନାକୁ ପୁରିଲା ୭ବର୍ଷ: ବର୍ତ୍ତମାନ ସୁଦ୍ଧା ୧୨କୋଟି ଲୋକ ଖାଇଲେଣି ମିଲ୍‌

ଭୁବନେଶ୍ବର : ଏପ୍ରିଲ ୧, ୨୦୧୫ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆହାର ଯୋଜନାକୁ ୭ବର୍ଷ ପୁରିଛି | ଗରିବ ଓ ଅଭାବୀ ଲୋକଙ୍କୁ ୫ଟଙ୍କାରେ ଭାତ ଡାଲମା ଯୋଗାଇ ଦେଇଆସୁଛନ୍ତି ରାଜ୍ୟସରକାର | ରାଜ୍ୟ ସରକାରଙ୍କ ଏହି ଯୋଜନା ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ, ସହରାଞ୍ଚଳରେ ବେଶ୍‌ ଆଦୃତ ଲାଭ କରିଛି | ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨କୋଟି ଲୋକ ଆହାର ମିଲ୍‌ ଖାଇଥିବା ଜଣାପଡ଼ିଛି।

ବିଭିନ୍ନ ସହରାଞ୍ଚଳରେ ଥିବା ଡାକ୍ତରଖାନା, ବସଷ୍ଟାଣ୍ଡ, ରେଳ ଷ୍ଟେସନ ସମେତ ପ୍ରମୁଖ ଛକରେ ଆହାର କେନ୍ଦ୍ର ଖୋଲି ଗରିବ ଓ ଅଭାବୀ ଲୋକଙ୍କୁ ସୁସ୍ଥକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଆରମ୍ଭ ‌େହାଇଥିବା ଏହି ଯୋଜନା ଏବେ ହଜାର ହଜାର ଲୋକଙ୍କୁ ଦୁଇ ଓଳି ଖାଇବାକୁ ଦେବାରେ ବଡ଼ ଭୂମିକା ନିର୍ବାହ କରିଛି। ବର୍ତ୍ତମାନ ସୁଦ୍ଧା ୩୦ଟି ଜିଲ୍ଲାରେ ୧୬୭ଟି ଆହାର କେନ୍ଦ୍ର ଖୋଲା ଯାଇଥିବାବେଳେ ୫୮ଟି କେନ୍ଦ୍ରରେ ଉଭୟ ରାତି ଓ ଦିନରେ ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି।

ଏହି ସମସ୍ତ ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ବ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମିଲର୍ସ ମାଲିକ ସଂଘ ଆଦିଙ୍କ ଦ୍ୱାରା ଚଳାଯାଉଥିବାବେଳେ ଏଥିପାଇଁ ୩୮ଟି କେନ୍ଦ୍ରୀୟ ପାକଶାଳା ଖୋଲାଯାଇଛି। ଆହାର କେନ୍ଦ୍ରରେ ଗୋଟିଏ ମିଲ୍ ପାଇଁ ହିତାଧିକାରୀ ୫ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ଖାଦ୍ୟ ଯୋଗାଉଥିବା ସଂସ୍ଥାକୁ ମିଲ୍ ପିଛା ୨୩ଟଙ୍କା ଦେଉଛନ୍ତି। କୋଭିଡ ମହାମାରୀ ଯୋଗୁଁ ହୋଇଥିବା ଲକଡାଉନ୍ ଓ ସଟ୍ ଡାଉନ୍ ସମୟରେ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଆରମ୍ଭ କରି ଦିନ ମଜୁରିଆଙ୍କ ପର୍ଯ୍ୟନ୍ତ ସମସ୍ତେ ଯେତେବେଳେ ଖାଦ୍ୟ ପାଇଁ ଆଉଟୁପାଉଟୁ ହେଉଥିଲେ ସେତେବେଳେ ଆହାର କେନ୍ଦ୍ର ହିଁ ସେମାନଙ୍କୁ ଖାଦ୍ୟ ଯୋଗାଇବାରେ ସମର୍ଥ ହୋଇଥିଲା।

Related Posts