ଶ୍ରୀଲଙ୍କାର ରାଷ୍ଟ୍ରପତି ଦୌଡ଼ରେ ୪ ଜଣ ପ୍ରାଥୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାର ରାଷ୍ଟ୍ରପତି ଦୌଡ଼ରେ ୪ ଜଣ ପ୍ରାଥୀ । ତେବେ ଶ୍ରୀଲଙ୍କାର କାର୍ୟ୍ୟକାରୀ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଓ ମୁଖ୍ୟ ବିରୋଧୀ ଦଳ ନେତା ସାଜିତ ପ୍ରେମଦାସା ରାଷ୍ଟ୍ରପତି ଦୌଡ଼ରେ ଥିବା ଚାରିଜଣଙ୍କ ମଧ୍ୟରେ ଆଗରେ ଅଛନ୍ତି। ଆଶାୟୀଙ୍କ ମଧ୍ୟରୁ ଅନ୍ୟ ଦୁଇଜଣ ହେଉଛନ୍ତି ମାର୍କ୍ସବାଦୀ ଜେଭିପି ନେତା ଅନୁରା କୁମାରା ଦିଶାନାୟକେ ଏବଂ ଦୁଲାସ ଅଲାହାପେରୁମା। ଜୁଲାଇ ୨୦ରେ ହେବାକୁ ଥିବା ନିର୍ବାଚନ ପାଇଁ ଏମାନେ ନିଜର ପ୍ରାର୍ଥିତ୍ବ ଘୋଷଣା କରିସାରିଛନ୍ତି। ଗୋଟାବାୟାଙ୍କ ସ୍ଥାନରେ ଯିଏ ବି ରାଷ୍ଟ୍ରପତି ହେବେ ତାଙ୍କର କାର୍ୟ୍ୟକାଳ ଗୋଟାବାୟାଙ୍କ ଅବଶିଷ୍ଟ ଅବଧି ୨୦୨୪ ନଭେମ୍ବର ପର୍ୟ୍ୟନ୍ତ ରହିବ। ଗୋଟାବାୟା ରାଜପକ୍ଷ ବୁଧବାର ମାଳଦ୍ବୀପ ପଳାୟନ କରିବା ପରେ ଗୁରୁବାର ସେଠାରୁ ସିଙ୍ଗାପୁର ଚାଲିଯାଇଛନ୍ତି ଏବଂ ଆନୁଷ୍ଠାନିକଭାବେ ଶୁକ୍ରବାର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି।

ଶନିବାର ହୋଇଥିବା ୧୩ ମିନିଟିଆ ସ୍ବତନ୍ତ୍ର ଅଧିବେଶନରେ ପାର୍ଲାମେଣ୍ଟ ମହାସଚିବ ଧାମିକା ଦାସନାୟକେ ରାଷ୍ଟ୍ରପତି ପଦ ଖାଲିଥିବା ଓ ନିର୍ବାଚନ ହେବା ନେଇ ଘୋଷଣା କରିଥିଲେ। ସେ କହିଥିଲେ ଯେ ମଙ୍ଗଳବାର ନାମାଙ୍କନପତ୍ରଗୁଡ଼ିକ ଉପରେ ଆଲୋଚନା ହେବ ଏବଂ ଏକରୁ ଅଧିକ ପ୍ରାର୍ଥୀ ଥିଲେ ବୁଧବାର ସାଂସଦମାନେ ଭୋଟ ଦେବେ। ଜନତା ବିମୁକ୍ତି ପେରାମୁନା (ଜେଭିପି) ନେତା ଦିଶାନାୟକେ (୫୩) ଶନିବାର ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହେବା ନେଇ ଘୋଷଣା କରିଥିଲେ। ସେହିପରି ମୁଖ୍ୟ ବିରୋଧୀ ଦଳ ସମାଗି ଜନ ବାଲୱେଗୟା (ଏସ୍ଜେପି) ନେତା ପ୍ରେମଦାସା ମଧ୍ୟ ସରକାରୀ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଜଣାଇଛନ୍ତି। ୨୨୫ ସଦସ୍ୟ ବିଶିଷ୍ଟ ସଂସଦରେ ରାଜପକ୍ଷଙ୍କ ଶ୍ରୀଲଙ୍କା ପୋଦୁଜାନା ପେରାମୁନା (ଏସ୍ଏଲ୍ପିପି) ଦଳର ପ୍ରାଧାନ୍ୟ ରହିଛି।

Related Posts