ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭୋଟ୍ ପୂର୍ବରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଉପରେ ବଡ଼ ଅଭିଯୋଗ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଭୂପେଶ ବାଘେଲ ଅନ୍ଲାଇନ ବେଟିଂ ଆପ୍ ମହାଦେବର ପ୍ରତିଷ୍ଠାତାଙ୍କ ଠାରୁ ୫୦୮ କୋଟି ନେଇଛନ୍ତି। ଏହି ଅଭିଯୋଗକୁ ନେଇ ଇଡି ତଦନ୍ତ ଆରମ୍ଭ କରିଛି।
ଇଡି ଅଧିକାରୀମାନେ ଦାବି କରିଛନ୍ତି ଯେ ବାଘେଲଙ୍କୁ ବର୍ତ୍ତମାନ ସୁଦ୍ଧା ୫୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି।ନଗଦ ଟଙ୍କା କୋରିଅର ଯୋଗେ ଆସିଥିଲା ବୋଲି ଇଡି ଦାବି କରିଛି। ଏହି ମାମଲାରେ ଜଣଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି ବୋଲି ଜଣାପଡିଛି। ଇଡି କହିଛି ଯେ ସେ ଅସୀମ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି, ଯିଏକି ଛତିଶଗଡ଼ରେ ଶାସକ ଦଳ କଂଗ୍ରେସର ନିର୍ବାଚନ ଖର୍ଚ୍ଚ ପାଇଁ ବିପୁଳ ପରିମାଣର ନଗଦ ଟଙ୍କା ୟୁଏଇରୁ ଆଣିଥିଲା।
ଗୁଇନ୍ଦା ବିଭାଗ ଠାରୁ ଇଡି ସୂଚନା ପାଇଥିଲା ଯେ ନିର୍ବାଚନ ପୂର୍ବରୁ ମହାଦେବ ଆପର ପ୍ରତିଷ୍ଠାତା ଛତିଶଗଡ଼କୁ ବିପୁଳ ପରିମାଣର ଟଙ୍କା ପଠାଇଥିଲେ। ଏହାପରେ ଗୁରୁବାର ଇଡି ହୋଟେଲ ତ୍ରିତୋନ ଓ ଭିଲାଇର ଗୋଟିଏ ଠିକଣାରେ ରେଡ କରିଥିଲେ।ଏହି ସମୟରେ ନଗଦ ୫ କୋଟିରୁ ଅଧିକ ଟଙ୍କା ପାଇଥିଲା। ଅସୀମ ଦାସ ନାମକ ଜଣେ ବ୍ୟକ୍ତି ଏହି ପାର୍ସଲ ହୋଇଥିବା ଟଙ୍କାକୁ କ୍ଷମତାସୀନ କଂଗ୍ରେସକୁ ଦେବା ପାଇଁ ସ୍ୱତନ୍ତ୍ର ଭାବେ ୟୁଏଇରୁ ଆସିଥିବା ଇଡି ଦାବି କରିଛି।
ଅସୀମ ଦାସଙ୍କୁ ପଚରାଉଚରା କରିବାରୁ ତାଙ୍କ ନିକଟରୁ ଜବତ ହୋଇଥିବା ଫୋନର ଫରେନସିକ୍ ଯାଞ୍ଚରୁ ଏହି ସବୁ ବେଆଇନ କାମର ଗୁମର ଫିଟିଛି। ଶୁଭମ ସୋନିଙ୍କ ଦ୍ୱାରା ପଠାଯାଇଥିବା ଏକ ଇମେଲର ଯାଞ୍ଚ ଅନେକ ଆଶ୍ଚର୍ଯ୍ୟଜନକ ଅଭିଯୋଗ ସାମ୍ନାକୁ ଆସିଛି, ଯେମିତିକି, ଅତୀତରେ ନିୟମିତ ଟଙ୍କା କାରବାର ହୋଇଛି ଏବଂ ବର୍ତ୍ତମାନ ସୁଦ୍ଧା ମହାଦେବ ଆପ ପ୍ରମୋଟରମାନେ ଭୂପେଶ ବାଘେଲଙ୍କୁ ପ୍ରାୟ ୫୦୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଇଡି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଅଭିଯୋଗଗୁଡ଼ିକ ତଦନ୍ତର ବିଷୟ ବୋଲି ତଦନ୍ତକାରୀ ସଂସ୍ଥା କହିଛି। ଏଥି ପାଇଁ ଆଣ୍ଟି ମନି ଲଣ୍ଡରିଂ ଆଇନ ଅନୁଯାୟୀ ଇଡି ତଦନ୍ତ କରୁଥିବା ଜଣାପଡିଛି।