ଇଡି ରେଡ୍ ବେଳେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀଙ୍କ ଘରୁ ଜବତ ହେଲା ଦୁଇଟି ଏକେ-୪୭ ବନ୍ଧୁକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବେଆଇନ ଖଣି ମାମଲାରେ ରାଞ୍ଚିରେ ଇଡି ଚଢାଉ ଜାରି ରହିଛି । ଏହି ଚଢାଉ ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ କୁହାଯାଉଥିବା ପ୍ରେମ ପ୍ରକାଶଙ୍କ ଘରୁ ଚଢାଉ ସମୟରେ ଦୁଇଟି ଏକେ-୪୭ ବନ୍ଧୁକ ଜବତ କରାଯାଇଛି। ତେବେ ବେଆଇନ୍‌ ଖଣି ଖୋଦନ ମାମଲାରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ଅଧିକାରୀ ମାନେ ପ୍ରେମ ପ୍ରକାଶଙ୍କ ଝାଡ଼ଖଣ୍ଡସ୍ଥିତ ବାସଭବନ ତଲାସ କରୁଥିବା ବେଳେ ଏକ ଲୁହା ଆଲମାରିରୁ ୨ଟି ‘ଏକେ-୪୭’ ରାଇଫଲ୍‌ ପାଇଥିବା ସୂଚନା ମିଳିଛି। ତେବେ ବେଆଇନ୍‌ ରାଇଫଲ୍‌ ଉଦ୍ଧାର ଘଟଣା ରେ ପ୍ରେମ ପ୍ରକାଶଙ୍କ ନାଁରେ ‘ଅସ୍ତ୍ରଶସ୍ତ୍ର ଆଇନ’ ଅନୁସାରେ ପୃଥକ୍‌ ମାମଲା ରୁଜୁ କରାଯିବ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସହିତ ତାଙ୍କର ଘନି‌ଷ୍ଠତା ଥିବା ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ପ୍ରେମ ପ୍ରକାଶଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା। ପ୍ରେମ ପ୍ରକାଶଙ୍କ ବ୍ୟତୀତ, ବେଆଇନ ଖଣି ଖୋଦନ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଝାଡ଼ଖଣ୍ଡ, ବିହାର, ତାମିଲନାଡୁ ଏବଂ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ଆଉ ୧୬ଟି ସ୍ଥାନରେ ଚଢ଼ାଉ କରାଯାଇ ଖାନ୍‌ତଲାସ କରାଯାଇଥିଲା। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ମଧ୍ୟ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ସ୍କାନର୍‌ରେ ଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

Related Posts