ଅପରାହ୍ନ ୩ଟାରୁ ରାତି ୯ଟା ମଧ୍ୟରେ ଭାରତର ରାସ୍ତାରେ ଗାଡି ଚଳାଇବା ସବୁଠାରୁ ବିପଦପୂର୍ଣ୍ଣ : ରିପୋର୍ଟ

ଭୁବନେଶ୍ୱର,୨/୧(ସତ୍ୟପାଠ ବ୍ୟୁରୋ): ଭାରତରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦୁର୍ଘଟଣା ଜନୀତ ମୃତ୍ୟୁ । ସରକାରୀ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଦୁର୍ଘଟଣା ଜନୀତ ମୃତ୍ୟୁ ହାର ବଢୁଛି । ତେବେ ରିପୋର୍ଟ ଅନୁସାରେ ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭାରତୀୟ ରାସ୍ତା ଲୋକଙ୍କ ପାଇଁ ଅତ୍ୟନ୍ତ ବିପଦଜନକ ଏବଂ ସାଂଘାତିକ। ମୁଖ୍ୟତଃ ଅପରାହ୍ନ ୩ଟା ଠାରୁ ରାତି ୯ଟା ମଧ୍ୟରେ ଅଧିକାଂଶ ଦୁର୍ଘଟଣା ଘଟୁଛି । ରାତି ୧୨ଟାରୁ ଭୋର ୬ଟା ମଧ୍ୟରେ ଯାତାୟତ କମ ଥିବାରୁ ଦୁର୍ଘଟଣା ମଧ୍ୟ କମ ଘଟେ ।କିନ୍ତୁ ଅପରାହ୍ନ ୩ଟା ଠାରୁ ରାତି ୯ଟା ମଧ୍ୟରେ ପ୍ରାୟ ୪୦ ପ୍ରତିଶତ ଦୁର୍ଘଟଣା ଘଟୁଛି ।

କେନ୍ଦ୍ର ସରକାରଙ୍କ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ବାର୍ଷିକ ରିପୋର୍ଟ ‘ରୋଡ ଆକ୍ସିଡେଣ୍ଟସ ଇନ ଇଣ୍ଡିଆ -୨୦୨୧’ ଅନୁଯାୟୀ,, ଭାରତରେ ୨୦୨୧ରେ ମୋଟ ୪.୧୨ ଲକ୍ଷ ଦୁର୍ଘଟଣା ଘଟିଥିଲା । ସେଥିମଧ୍ୟରୁ ଅପରାହ୍ନ ୩ଟା ରୁ ରାତି ୯ଟା ମଧ୍ୟରେ ୧.୫୮ଲକ୍ଷ ଦୁର୍ଘଟଣା ଘଟିଥିଲା । ଅପରାହ୍ନ ଏବଂ ସନ୍ଧ୍ୟା ସମୟ ଭାରତୀୟ ରୋଡ୍‌ ଗୁଡିକରେ ଗାଡି ଚାଳନା ସବୁଠାରୁ ବିପଦପୂର୍ଣ୍ଣ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ସନ୍ଧ୍ୟା ୬ଟା ରୁ ରାତି ୯ଟା ମଧ୍ୟରେ ସର୍ବାଧିକ ଦୁର୍ଘଟଣା ଘଟିଥିବା ରାଜ୍ୟ ହେଉଛି ତାମିଲନାଡୁ । ସେଠାରେ ମୋଟ ୧୪,୪୧୬ ଛୋଟବଡ ଦୁର୍ଘଟଣା ଘଟିଛି । ସେହିଭଳି ମଧ୍ୟପ୍ରଦେଶରେ ୧୦,୩୩୨ଟି ଦୁର୍ଘଟଣା ଘଟିଥିଲା । ତାମିଲନାଡୁ, ମଧ୍ୟପ୍ରଦେଶ, କେରଳ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ ମୋଟ ୫ ରାଜ୍ୟରେ ଦୁର୍ଘଟଣା ସଂଖ୍ୟା ୮୫ ହଜାରରୁ ଅଧିକ ରହିଛି ।

୨୦୨୧ ମସିହାରେ ଭାରତରେ ଯେତେ ବି ଦୁର୍ଘଟଣା ଘଟିଛି ସେଥିରେ ମୋଟ ୧,୫୩,୯୭୨ ଜଣଙ୍କ ମୃତ୍ୟୁ ଘଟିଛି । ଯାହାକି ୨୦୧୧ ପରଠାରୁ ସର୍ବାଧିକ । ସେହିଭଳି ୨୦୨୧ ତୁଳନାରେ ୨୦୨୦ ମସିହାରେ ଦୁର୍ଘଟଣାଜନୀତ ମୃତ୍ୟୁସଂଖ୍ୟା ୨୨,୨୫୮ କମ ଥିଲା ।

Related Posts